ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍.ଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ।

ଏହା ବ୍ୟତୀତ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମ ବ୍ରତରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ମନ୍ତ୍ର ସଦନର ବିଦ୍ୟାର୍ଥୀ ଚମ୍ପିୟାନ୍ ହୋଇଥିବାବେଳେ ସ୍ତୁତି ସଦନର ବିଦ୍ୟାର୍ଥୀ ରନର୍ସଅପ୍ ହୋଇଥିଲେ। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ବିଭାଗର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦେଶପ୍ରେମୀଙ୍କ ଶୀର୍ଷକ ଆଧାରିତ ଆକର୍ଷଣୀୟ ପତ୍ରିକା ଉନ୍ମୋଚିତ ହୋଇଥିଲା।

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଂଗୀତ ଏବଂ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷିତ ହୋଇଥିଲା। ପରିଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗଣତନ୍ତ୍ର ଦିବସର ଏହି ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Share This Article