ଠକେଇ ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ବରର ଏକ ୱେବ ଚ୍ୟାନେଲର ମାଲିକ ସୁରଜିତ ଧଳ

Odisha Hot News
1 Min Read

ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ୱେବ ଚ୍ୟାନଲ ତଥା ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ସେ ହେଉଛନ୍ତି ସୁରଜିତ ଧଳ। ଆଜି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। ତାଙ୍କୁ ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ ସୁରଜିତ ମିଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏବଂ ବେଶ ପତିୟାରା ଅଛି ଏବଂ ଇଭୋସ କଂପାନୀର ବିଡିଏ କ୍ଲିୟରାନସ କାମ କରାଇଦେବେ ବୋଲି କହିଥିଲେ। ସେହି ଅନୁସାରେ ଇଭୋସ କଂପାନୀ ତରଫରୁ ତାଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପରବର୍ତ୍ତି ସମୟରେ ସେ ଦୁଇଟି ଦାମୀ କାର ନେବାକୁ ଦାବୀ କଲେ। ଫଳରେ ତାଙ୍କ ଗୋଟିଏ ଅଡି ଏବଂ ଆଉ ଏକ ମର୍ସିଡିଜ କାର ଦିଆଯାଇଥିଲା।

ହେଲେ ବହୁ ମାସ ବିତିଯାଇଥିଲେ ମଧ୍ୟ ସୁରଜିତ ତାଙ୍କ କାମ କରାଇଦେଇ ନ ଥିଲେ। ଫଳରେ କଂପାନୀ ତରଫରୁ ତାଙ୍କ ଟଙ୍କା ଏବଂ କାର ଦୁଇଟି ଫେରାଇ ଦେବାକୁ କୁହାଯାଇଥିଲା। ସେ ବହୁ ବୁଲାଇବା ପରେ କାର ଦୁଇଟି ଫେରାଇ ଦେଇଥିଲେ। ହେଲେ ଟଙ୍କା ଫେରାଇବାକୁ ଧରାଛୁଆଁ ଦେଇ ନ ଥିଲେ।

ଏହାପରେ ଇଭୋସ କଂପାନୀର ମାଲିକ କଳିଙ୍ଗ କୁମାର ରଥ ତାଙ୍କ ବିରୋଧରେ ଇଓଡବ୍ଲୁରେ ମାମାଲ ଋଜୁ କଲେ। ଇଓଡବ୍ଲୁର ଏକ ଟିମ ଘଟଣା ସଂପର୍କରେ ତଦନ୍ତ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ସୁରଜିତ ଏକ ୱେବ ଚ୍ୟାନେଲ ‘ରିପୋର୍ଟରସ ଟୁଡେ’ ଏବଂ ‘ମହାଭାରତ’ ନାମିତ ଏକ ଖବରକାଗଜର ମାଲିକ।

Share This Article