ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Odisha Hot News
4 Min Read

ପୁରୀ/ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ କାର୍ଯ୍ୟ, ପରିମଳ, ଯାନବାହନ ଚଳାଚଳ, ପାନୀୟଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରସାରଣ ତଥା ଭକ୍ତ ଏବଂ ସେବାୟତମାନଙ୍କର ସୁବିଧା ନିମନ୍ତେ ପଦଧିକାରୀମାନେ ବିଶେଷ ଆଲୋଚନା କରିଛନ୍ତି।

ଆସନ୍ତା ୧୨ ତାରିଖ ସଂଧ୍ୟା ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୃକ୍ତ ସମସ୍ତ କାର‌୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।
ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୧୨ ତାରିଖରୁ ଅଙ୍କୁରାରୋପଣ ଆରମ୍ଭ ହୋଇ ୧୭ ତାରିଖ ଦିନ ଯଜ୍ଞରେ ପୂର୍ଣାହୁତି ସହିତ ପ୍ରକଳ୍ପ ଲୋକାର୍ପିତ ହେବ।

ସେହି ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଗହଳି ଆଶାତୀତ ଭାବରେ ବୃଦ୍ଧି ପାଇବ।ତେଣୁ ଯାନବାହନ ଚଳାଚଳ ଏବଂ ନାଗରିକ ସୁବିଧାଗୁଡିକ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ସମସ୍ତ ମରାମତି ତଥା ଭୂମି ସମତଳ କାର୍ଯ୍ୟ ଟ୍ରକ ଆସୋସିଏସନର ସହାୟତାରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ ସମଙ୍ଗ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସହରର ବିଭିନ୍ନ ସ୍ଥାନରେ ରୁଟ ଚାର୍ଟ ମରାଯିବା ସହିତ ଜିଓ-ଲୋକେସନକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯିବ।

ଜଗନ୍ନାଥବଲ୍ଲଭଠାରେ ଯାନବାହନଗୁଡିକ ଭକ୍ତମାନଙ୍କୁ ଛାଡି ସମଙ୍ଗଠାରେ ରହିବେ। ସେଠାରେ ୧୨୦ ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ। ଅନ୍ୟ ପକ୍ଷରେ ସର୍ବସାଧାରଣଙ୍କ ଗାଡି ମାଳତୀପାଟପୁର ଷ୍ଟାଣ୍ଡରେ ରହିବ। ସମଙ୍ଗଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ସିଂଚନ ଓ ବିଶ୍ରାମ ବ୍ୟବସ୍ଥାମଧ୍ୟ କରାଯିବ। ଶ୍ରୀମନ୍ଦିର ପାଖରେ ହାତପାଦ ପ୍ରକ୍ଷାଳନ ପାଇଁ ଅସ୍ଥାୟୀ ଫ୍ଲସ ବେଶିନ ରହିବ।

ଓଡିଶା ରାଜ୍ୟ ସେତୁ ନିଗମ ଦ୍ଵାରା ନିର୍ମିତ ସବୁ ପାର୍କିଂ ୮ ତାରିଖ ସୁଦ୍ଧା ପୁଲିସକୁ ହସ୍ତାନ୍ତର କରାଯିବ ଜ୍ଝ ମନ୍ଦିର ନିକଟରେ ଥିବା ୨୦ଟି ମଠକୁ ଦୈନିକ ୨ କେଭିର ଡିଜି ସେଟ ଯୋଗାଇ ଦିଆଯିବ। ମନ୍ଦିର ପାଖରେ ସେବାୟତମାନଙ୍କ ପାଇଁ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ଶ୍ରୀସେତୁରେ ଏକ ସ୍ଵାଗତ ତୋରଣ ନିର୍ମିତ ହେବ।

ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାନବାହନ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ପରିକ୍ରମା ପ୍ରକଳ୍ପ ଆଗରେ ମଣ୍ଡପ ନିର୍ମାଣ , ଜଗନ୍ନାଥବଲ୍ଲଭ ପାଖରେ ସ୍ଵତନ୍ତ୍ର ପ୍ରଦର୍ଶନୀ ଆୟୋଜନ ସାଙ୍ଗକୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ରାଜ୍ୟର ବିଭିନ୍ନ ପଞ୍ଚାଯତରୁ ମହାପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଚାଉଳ ସଂଗ୍ରହ କରାଯିବ ଓ ସେସବୁର ଭଣ୍ଡାରଣ ପାଇଁ ମନ୍ଦିର କତ୍ତୃପକ୍ଷ ବନ୍ଦୋବସ୍ତ କରିବେ।

ସାତଟି ସୁସଜ୍ଜିତ ରଥ ସହିତ ସଂକୀତ୍ତନ ମଣ୍ଡଳୀ ବଡଦାଣ୍ଡ ପରିକ୍ରମା କରିବେ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର‌୍ୟ୍ୟକ୍ରମଗୁଡିକର ପ୍ରସାରଣ ସାଟେଲାଇଟ ମାଧ୍ୟମରେ କରାଯିବ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ମିଡିଆ ଲାଉଞ୍ଜ ଖୋଲାଯିବ। ସେହିପରି ଜରୁରୀକାଳୀନ ଚିକିତ୍ସା ସେବା, ପର‌୍ୟ୍ୟାପ୍ତ ଆଲୋକ ବ୍ୟବସ୍ଥା ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ପଞ୍ଚାୟତିରାଜ ଓ ପାନୀଯ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ , ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ , ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ , ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ , ମିଶନ ଶକ୍ତି ଓ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଯୋଗଦେଇଥିଲେ।

ସେହିପରି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର. ଯାଦବ ,ବରିଷ୍ଠ ପୁଲିସ ପ୍ରଶାସକ ଶ୍ରୀ ଅମିତାଭ ଠାକୁର , ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ରଞ୍ଜନ କୁମାର ଦାସ , ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ ଡ଼ କନୱର ବିଶାଳ ସିଂ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପଦାଧିକାରୀମାନଙ୍କ ସହିତ ସମଙ୍ଗ ଓ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳ , ଶ୍ରୀଦାଣ୍ଡ , ଶ୍ରୀସେତୁ ଓ ପରିକ୍ରମା ପଥ ଯାଇ କ୍ଷେତ୍ର ପରିଦର୍ଶନ କ୍ରମେ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ।

Share This Article