ଦାମୋଦର ରାଉତଙ୍କ ଉପରୁ ବହିସ୍କାର ପ୍ରତ୍ୟାହାର ହେଲେ ସେ କଣ ବିଜେଡି ହୋଇଯିବେ ?

Odisha Hot News
2 Min Read

ଭୁବନେଶ୍ବର: ଶେଷରେ ବିଜେଡିର ତୁଣ୍ଡ ବୋଲି କୁହାଯାଉଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ଦଳ ବହିସ୍କାର ଆଦେଶ ପ୍ରତ୍ୟାହାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ୨୦୧୮ ମସିହାରେ ଦଳ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ୨୦୧୯ ରେ ବାଲିକୂଦା ଏରସମାରୁ ନିର୍ବାଚନ ଲଢି ହାରି ଯାଇଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦାମୋଦର ରାଉତଙ୍କ ଉପରୁ ବହିସ୍କାର ଆଦେଶ ଉଠାଇ ଦେଲେ ସେ କଣ ବିଜେଡି ହୋଇଯିବେ କି? ଏପରି ଏକ ସାଧାରଣ ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସାଧାରଣତଃ ଦଳୀୟ ନିୟମ ଅନୁସାରେ ଜଣଙ୍କ ଉପରୁ ବହିସ୍କାର ଉଠାଇ ଦେଲେ ସେ ସେହି ଦଳକୁ ପୁଣି ଫେରି ଆସେ। ହେଲେ ଯଦି ସେହି ବ୍ୟକ୍ତି ବା ନେତା ଅନ୍ୟ କୌଣସି ଦଳକୁ ଯାଇ ନ ଥିବେ ତେବେ ସେ ପୂର୍ବପରି ସେହି ଦଳରେ ରହିବେ।

ହେଲେ ଦାମୋଦର ରାଉତଙ୍କ କଥା ଭିନ୍ନ ପ୍ରକାରର। କାରଣ ସେ ଦଳରୁ ବହିସ୍କାର ହେବା ପରେ ନୂଆ ଦିଲ୍ଲୀରେ ଏକ ରଂଗାରଂଗ ପରିବେଶରେ ବିଜେପିରେ ମିଶିଥିଲେ। ସେତିକି ନୁହେଁ ସେ ବିଜେପିର ପ୍ରଚାର କମିଟର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଏପରିକି ସେ ବିଜେପି ଟିକେଟରୁ ବାଲିକୂଦା ଏରସମାରେ ନିର୍ବାଚନ ମଧ୍ୟ ଲଢେଇ କରିଥିଲେ। ସେ ସେହି ନିର୍ବାଚନ ହାରିବା ସହିତ ତୃତୀୟ ସ୍ଥାନକୁ ଆସିଥିଲେ।

ଏହାପରେ ତାଙ୍କୁ ବିଜେପି ଯେପରି ଗୁରୁତ୍ବ ଦେବା କଥା ତାହା ହେଲା ନାହିଁ। ଫଳରେ ସେ ସେଠାରେ କଣଠୋସା ହେବା ଦ୍ବାରା ବିଜେପିରୁ ଇସ୍ତପା ଦେଲେ।  ସେ ଏବେ କୌଣସି ଦଳରେ ନାହାଁନ୍ତି। ତେଣୁ ଏପରି କ୍ଷେତ୍ରରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର ଆଦେଶ ହଟାଇ ଦେଲେ ସେ କେବେ ବିଜେଡି ହୋଇ ପାରିବେ ନାହିଁ। ଏଥିପାଇଁ ସେ ପୁଣି ଥରେ ବିଜେଡିରେ ଯୋଗ ଦେବାକୁ ପଡିବ ବା ମିଶ୍ରଣ ପର୍ବ ମାଧ୍ୟମରେ ତାଙ୍କୁ ଆସିବାକୁ ପଡିବ।

ବରିଷ୍ଠ ନେତା ପ୍ରଫୁଲ ଘଡେଇ ଯେତେବେଳେ ବିଜେଡିରୁ ବହିସ୍କୃତ ହେଲେ ସେତେବେଳେ ସେ ବିଜେଡି ଛାଡି ଅନ୍ୟ କୌଣସି ଦଳରେ ଯୋଗଦେଇ ନ ଥିଲେ। ସେପରି କ୍ଷେତ୍ରରେ ତାଙ୍କ ଉପରୁ କେବଳ ବହିସ୍କାର ବା ନିଲମ୍ବନ ଆଦେଶ ହଟାଇ ଦେଲେ ସେ ସିଧା ବିଜେଡି ହୋଇ ପାରିବେ। ଏପରି ନେତା ଆଉ ବିଜେଡିରେ ସାମିଲ ହେବା ବା ମିଶ୍ରଣ ପର୍ବ ମାଧ୍ୟମରେ ଆସିବାର ଆବଶ୍ୟକ ନାହିଁ। ହେଲେ ନିୟମ ଅନୁସାରେ ଦାମ ରାଉତ କ୍ଷେତ୍ରରେ ସେପରି ହୋଇପାରିବ ନାହିଁ।

Share This Article