ଚିଲିକାରେ ସୁରକ୍ଷିତ ଭ୍ରମଣ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ମୁତୟନ ହେଲେ ଓଡ୍ରାଫ ଟିମ

Odisha Hot News
1 Min Read

ବାଲୁଗାଁ( ସୀତାରାମ ଅଗ୍ରୱାଲ): ନୂଆବର୍ଷ ପାଇଁ ଚିଲିକାରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ଚଳିତ ବର୍ଷ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ବଡ଼କୁଳ, କାଳିଜାଇ, ବାଲୁଗାଁ, ବାଣପୁର ଆଦି ଅଞ୍ଚଳ ଲୋକାରଣ୍ୟ ହୋଇଉଠିଛି।

ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଜିଠାରୁ ଗ୍ରହଣ କରିଛି ଏକାଧିକ ପଦକ୍ଷେପ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦେଶ ମୁତାବକ ଆଜିଠାରୁ ଆସନ୍ତା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବାଲୁଗାଁରେ ମୁତୟନ ହୋଇଛନ୍ତି ଓଡ୍ରାଫ, ପୋଲିସ ଓ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ।

ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ମୁତୟନ କରିଛି ଏହି ଟିମ l ଚିଲିକା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ହ୍ରଦ ହୋଇଥିବା ବେଳେ ଏଥି ମଧ୍ୟରେ ଅବସ୍ଥିତ ମା’ କାଳିଜାଇ ମନ୍ଦିର ଏବଂ ବଡ଼କୁଳ ପାନ୍ଥନିବାସ, ବାଲୁଗାଁ ଜେଟି ଆଦି ସ୍ଥାନରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛ।

ଏହି ପରିପ୍ରେକ୍ଷୀରେ ତିନି ଗୋଟି ଓଡ୍ରାଫ ଟିମ ଯଥାକ୍ରମେ ମା’ କାଳିଜାଇ ମନ୍ଦିର, ବଡ଼କୁଳ ପାନ୍ଥନିବାସ ଏବଂ ବାଲୁଗାଁରେ ମୁତୟନ ହୋଇଛନ୍ତି। ସେହିପରି ଭାବେ ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ ବାଲୁଗାଁ ଜେଟି ଠାରେ ପଇଁତରା ମାରୁଛି। ଅନୁରୂପ ଭାବେ ବାଲୁଗାଁ ସହର ପାଇଁ ଅତିରିକ୍ତ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଚିଲିକାକୁ ଆସୁଥିବା ପର୍ଯ୍ୟଟକ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଧ୍ୟାନ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ଟିମ ଆଜିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସକାଳ ୫ ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟରତ ରହିବେ ବୋଲି ଜଣାପଡିଛି।

ତେବେ ଉକ୍ତ ସମସ୍ତ ଟିମ ଚିଲିକା ତହସିଲଦାର, ବିଡ଼ିଓ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି।

Share This Article