ରାଜ୍ୟପାଳଙ୍କ ଦ୍ବାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ଉଦଯାପନ

Odisha Hot News
2 Min Read

ଭୁବନେଶ୍ୱର: ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ।

ଏହା ଅସୀମ ଦୁନିଆକୁ ପ୍ରବେଶ ପଥ। ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ। ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ। ପୁସ୍ତକର ଶକ୍ତି ବନ୍ଧୁକର ଗୁଳିଠୁ ବି ଅଧିକ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ପୁସ୍ତକକୁ ଆଦରିବାର ଅର୍ଥ ହେଉଛି ଜ୍ଞାନ ଓ ଧର୍ମକୁ ସମ୍ମାନ କରିବା। ପୁସ୍ତକର ଯାତ୍ରା ମୌଖିକ ମାଧ୍ୟମରୁ ଆରମ୍ଭ କରି ଏଠି ପହଂଚିଛି। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ପୁସ୍ତକ ନୂଆ ରୂପ ନେବାରେ ଲାଗିଛି। ଏହାକୁ ଆପଣେଇବା ହିଁ ଆଜିର ବାସ୍ତବତା ବୋଲି ରାଜ୍ୟପାଳ କହିଛନ୍ତି।

ପଠନାଭ୍ୟାସକୁ ଗୁରୁତ୍ୱ ଦେବା ଦରକାର। ବ୍ୟକ୍ତିଗତ ତଥା ସାମାଜିକସ୍ତରରେ ବେଶୀ ପାଠାଗାର ସ୍ଥାପନ ହେବା ଆବଶ୍ୟକ। ଆମ ଦେଶର ସାହିତ୍ୟର ଏକ ଦୀର୍ଘ ଓ ସମୃଦ୍ଧ ପରଂପରା ରହିଛି। ଓଡ଼ିଆ ସାହିତ୍ୟ ସହ ଅନ୍ୟ ଭାଷାର ସାହିତ୍ୟ ମଧ୍ୟରେ ସଂପର୍କକୁ ଗଠନମୂଳକ ଓ କ୍ରିୟାଶୀଳ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।

ଓଡ଼ିଆ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନ ସମାରୋହରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ.ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ କବିତାର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। କବି ଶ୍ରୀ ରଥଙ୍କ ସହ ଅନୁବାଦକ ଜିତେନ୍ଦ୍ରନାଥ ମିଶ୍ର ମଂଚରେ ଉପସ୍ଥିତ ଥିଲେ। ବିଭାଗୀୟ ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶିଷ୍ଟ ଲେଖିକା ତଥା ରାଜ୍ୟ ସଂଗ୍ରାହାଳୟର ଅଧ୍ୟକ୍ଷା ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share This Article