ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଓ ବିପିଏଫଟିଆଇର ୨୫ତମ ପୂର୍ତ୍ତି ଉତ୍ସବ ଲାଗି ପ୍ରସ୍ତୁତି ବୈଠକ

Odisha Hot News
1 Min Read

ଭୁବନେଶ୍ୱର: କଟକସ୍ଥିତ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଶାର (ବିପିଏଫଟିଆଇଓ) ୨୫ତମ ପୂର୍ତ୍ତି ଉତ୍ସବ ଖୁବଶୀଘ୍ର ପାଳନ କରାଯିବ। ଏନେଇ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

“ବୋସ୍ ଏବଂ ବିପିଏଫଟିଆଇ ଓଡ଼ିଶାର ଦୁଇଟି ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ। ଏହି ଦୁଇ ଅନୁଷ୍ଠାନର ପୂର୍ତ୍ତି ଉତ୍ସବ ପାଳନ କରାଯିବା ଖୁସିର କଥା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ ଆଦିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ”, କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ।

ଏହି ପୂର୍ତ୍ତି ଉତ୍ସବ ପାଳନ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ, ବୋସ୍ ଏବଂ ବିପିଏଫଟିଆଇର କର୍ମକର୍ତ୍ତାମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମ କିପରି ଅନ୍ତର୍ଜାତୀୟ ମାନର ହୋଇପାରିବ ସେନେଇ ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ, ବିଶ୍ୱ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ବୋସ୍ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ହୃଷିକେଶ ମହାନ୍ତି ଏବଂ ବିପିଏଫଟିଆଇଓର ନିର୍ଦ୍ଦେଶକ ଦେବାଶିଷ ଘୋଷାଲ ପ୍ରମୁଖ ଯୋଗ ଦେଇଥିଲେ ।

Share This Article