ରାସ୍ତା କଡ଼ରୁ ଜିଆର‌ଏସଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

Odisha Hot News
1 Min Read

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ଧାତୁକିମାଲ ଗ୍ରାମ ନିକଟ ରାସ୍ତା କଡ଼ରୁ ଘୋଷରାମାଲ ପଞ୍ଚାୟତର ଜି‌ଆର‌ଏସଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ମୃତ ଜି‌ଆର‌ଏସ ଜଣଙ୍କ ହେଲେ ନାକଟିଦେଉଳ ଗ୍ରାମର ପ୍ରଦ୍ୟୁମ୍ନ ଦାଶ।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତରର ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସ ସବୁଦିନ ପରି ଗତକାଲି ମଧ୍ୟ ଘୋଷରାମାଳ ଗ୍ରାମକୁ ଯାଇ ନିଜର ଫିଲଡ୍ କାମ କରିଥିଲେ। ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘର ବୁଲିଦେଖିଥିଲେ। ଫଟୋ ମଧ୍ୟ ଉଠାଇଥିଲେ।

ସଂଧ୍ୟାରେ ପ୍ରଦ୍ୟୁମ୍ନ ଘରକୁ ନ ଫେରିବାରୁ ପରିବାର ତାଙ୍କ ମୋବାଇଲକୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗି ନ ଥିଲା। ପରିବାର ଲୋକେ ଘୋଷରାମାଳ ଆସି ବହୁ ସମୟ ଖୋଜା ଖୋଜି କରିବା ପରେ ଝାଟୁକିମାଳ ନିକଟସ୍ଥ ରାସ୍ତା କଡରୁ ମୃତଦେହ ପାଇଥିଲେ।

ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା। ମୃତକଙ୍କ ମୁଣ୍ଡରେ ଏବଂ ଛାତିରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଦ୍ୟୁମ୍ନ ବାଇକ୍ ରୁ ପଡି ଛାତିରେ ଆଘାତ ବାଜିଥିବାରୁ ମୃତ୍ୟୁ ହୋଇଥିବା ପୋଲିସ୍ କହିଛି।

ଆଜି ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅନୁସନ୍ଧାନ କରିଫେରି ଯାଇଛି। ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପି ଓ ପ୍ରଶାନ୍ତ ମେହେର, ରେଢାଖୋଲ ଥାନାଅଧିକାରୀ ସମେତ ପୋଲିସ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ।

ପୋଲିସ୍ ଏହାର ତଦନ୍ତ କରୁଥିବା ବେଳେ କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ୍ କହିଛି।

Share This Article