ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଅତିଥିମାନେ କହିଲେ ଏପରି କଥା

Odisha Hot News
2 Min Read

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗତକାଲି ସ୍ଥାନୀୟ ଜୟଦେବ ଭବନଠାରେ ଶହୀଦ ଜୟୀ ରାଜଗୁରୁଙ୍କ ୨୮୫ତମ ଜୟନ୍ତୀ ପାଳନ ହେବା ସହ ଏହି ଅବସରରେ ‘୧୮୦୪ ପାଇକ ବିଦ୍ରୋହ-ଜୟୀ ରାଜଗୁରୁ ଓ ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନା ଚକ୍ରରେ ରାଜ୍ୟ ଯୋଜନା ବୋର୍ଡର ପ୍ରାକ୍ତନ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଜୟୀ ରାଜଗୁରୁଙ୍କ ପାଇଁ ଓଡ଼ିଆ ଜାତି ସର୍ବଦା ଗର୍ବିତ। ତାଙ୍କୁ ଇଂରେଜ ବିରୋଧି ସଂଗ୍ରାମରେ ସହଯୋଗ କରିଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ଐତିହାସିକ ଓ ଗବେଷକମାନେ ଉନ୍ମୋଚିତ କରିବା ଦରକାର ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ।

ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ବିହାରର କୁଳାଧିପତି ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ମଧୁସୂଦନ ଦାସ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଶ୍ରୀ କୈଳାସ ଚନ୍ଦ୍ର ଟିକାୟତରାୟ, ଅବସରପ୍ରାପ୍ତ ପ୍ରଫେସର ଡ. ନାରାୟଣ ରାଓ, ଡ. ଶତ୍ରୁଘ୍ନ ମଲ୍ଲିକ, ଡ. କାଳୀଚରଣ ଲେଙ୍କା ପ୍ରମୁଖ ଏହି ଆଲୋଚନା ଚକ୍ରରେ ଅତିଥି ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କ ନିଃସ୍ୱାର୍ଥପର ଓ ନିର୍ଭୀକ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ତାଙ୍କ ପରି ସ୍ୱାଧୀନଚେତା ଦେଶପ୍ରେମୀ ଓ ବୀରନାୟକଙ୍କୁ ଏ ମାଟି ସବୁଦିନ ସସମ୍ମାନେ ସ୍ମରଣ କରିବ ଏବଂ ତାଙ୍କଠାରୁ ପ୍ରତ୍ୟେକ ସମୟରେ ପ୍ରେରଣା ନେବ।

ଏହି ଅବସରରେ ୧୮୦୪ ବିଦ୍ରୋହରେ ସାମିଲ ଥିବା ବ୍ୟକ୍ତିବିଶେଷ ଯଥା- କରୁଣାକାର ମଙ୍ଗରାଜ ମହାପାତ୍ର, ଗୋବର୍ଦ୍ଧନ ପାତ୍ର, ପିନେଇ ଜେନା, ଭୋବନି ପାତ୍ର, ଦିଗମ୍ବର ଭୂୟାଁ, ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କର ଉତ୍ତରାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ କଲେଜ, କାଇପଦର, ବାଲୁଗାଁ କଲେଜ, ଖୋର୍ଦ୍ଧା, ପଣସପଦା ଯୁକ୍ତ-୨ ମହାବିଦ୍ୟାଳୟ, ବ୍ରହ୍ମଗିରିର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଜୟୀ ରାଜଗୁରୁ ଓ ପାଇକ ବିଦ୍ରୋହ ସଂପର୍କିତ ସନ୍ଦର୍ଭ ଉପସ୍ଥାପନ କରିଥିଲେ।

Share This Article