ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ୬ ଦିନିଆ ଓଡ଼ିଶା ଗସ୍ତ, ଜାଣନ୍ତୁ କେଉଁଠି କଣ ଅଛି

Odisha Hot News
1 Min Read

ଭୁବନେଶ୍ବର: ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିବସ ୨୦ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରି ନିଜ ବାସଭବନକୁ ଯିବେ।

ସେଦିନ ସଂଧ୍ୟାରେ କଟକର ଶତାବ୍ଦୀ ଭବନ ଠାରେ ଅନୁଷ୍ଠିତ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ସମ୍ମାନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ୨୧ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଅନୁଷ୍ଠିତ କଳିଙ୍ଗ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଏବଂ ପରେ ପରେ କିଟ୍ ୟୁନିଭରସିଟି ଠାରେ ଅନୁଷ୍ଠିତ ୭ମ ଜାତୀୟ ମିଡ଼ିଆ କନ୍‌କ୍ଲେଭ – ୨୦୨୩ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ।

୨୩ ତାରିଖ ଦିନ ପୂର୍ବାହ୍ନରେ ଜୟଦେବ ଭବନ ଭୁବନେଶ୍ୱରଠାରେ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂଗଠନ ଆନୁକୂଲ୍ୟରେ ‘ମା’, ମାଟି, ମାନବିଧିକାର’ ଉପରେ ଆୟୋଜିତ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଏବଂ ୨୫ ତାରିଖ ପୂର୍ବାହ୍ନରେ କିଟ୍ ଓ କିସ୍ ୟୁନିଭରସିଟି, କନଭେନ୍‌ସେଂଟର, ଭୁବନେଶ୍ୱର ଠାରେ କିସ୍ ୟୁନିଭରସିଟିର ତୃତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ସେହିପରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୨୨ ଓ ୨୪ ତାରିଖରେ ତାଙ୍କର ପୂର୍ବ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବେ ଓ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏବଂ ୨୬ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦନରରୁ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।

Share This Article