ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଇତିହାସ ସୃଷ୍ଟି କରିଛି ଅଷ୍ଟ୍ରେଲିଆ ଦଳ । କ୍ରିକେଟ ଇତିହାସରେ ଏକ ଅବିଶ୍ବସନୀୟ ପାଳି ଖେଳିଛନ୍ତି ଗ୍ଲେନ୍ ମାକ୍ସଓ୍ବେଲ । ଆଫଗାନିସ୍ତାନର ୨୯୨ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର ୯୧ ରନରେ ୭ଟି ଓ୍ବିକେଟ ହରାଇ ନିଶ୍ଚିତ ପରାଜୟକୁ ଅପେକ୍ଷା କରିଥିଲା । ବ୍ୟାଟ୍ସମ୍ୟାନ ହିସାବରେ କ୍ରିଜରେ ଥିଲେ ଏକମାତ୍ର ଗ୍ଲେନ ମାକ୍ସଓ୍ବେଲ । ତାଙ୍କୁ ମଧ୍ୟ ୨ଟି ଜୀବନଦାନ ମିଳିଥିଲା । ତେବେ ଏହା ପରେ ସେ ନିଜର ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଦେଇଥିଲେ । ଆଫଗାନ ବୋଲରଙ୍କୁ ନିସ୍ତୁକ ପ୍ରହାର କରି ବିଜୟ ସେମାନଙ୍କ ହାତରୁ ଛଡ଼ାଇ ଆଣିଥିଲେ । ଅନ୍ୟପଟେ ପ୍ୟାଟ କମିନ୍ସ କ୍ରିଜରେ ରହି ତାଙ୍କୁ ସହଯୋଗ କରିଥିଲେ । ମାକ୍ସଓ୍ବେଲ ଅପରାଜିତ ୨୦୧ ରନ୍ କରିଥିଲେ ।
ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନର ଦୁଇ ଓପନର ଇବ୍ରାହିମ ଜଦରାନ ଓ ରେହମାନୁଲ୍ଲା ଗୁରବାଜ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଗୁରବାଜ ୨୧ରନ କରି ଆଉଟ ହେବା ପରେ ବି ଜଦରାନଙ୍କ ଲଢୁଆ ବ୍ୟାଟିଂ ଜାରି ରହିଥିଲା ଓ ସେ ନିଜର ଶତକ ପୂରଣ କରିବା ସହ ଇନିଂସ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ । ସେ ଅପରାଜିତ ୧୨୯ ରନ କରିଥିଲେ । ଏହି ଶତକ ସହ ସେ ବିଶ୍ବକପରେ ଶତକ ଅର୍ଜନ କରିବାରେ ପ୍ରଥମ ଆଫଗାନ ଖେଳାଳିରେ ପରିଣତ ହୋଇଛନ୍ତି । ସେହିପରି ରେହମତ ଶାହା ୩୦ ରନ, ହସମାତୁଲ୍ଲା ସାହିଦି ୨୬ ରନ କରିଥିଲେ । ଶେଷବେଳକୁ ରସିଦ ଖାଁ ଭଲ ବ୍ୟାଟିଂ କରିବା ସହ ୩୫ ରନ କରିଥିଲେ । ଆଫଗାନିସ୍ତାନର ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ବିକେଟ ହରାଇ ୨୯୧ ରନ କରିଥିଲା ।
Comment