ଗାଜା ଆକ୍ରମଣକୁ ଯଥାର୍ଥ ଦର୍ଶାଇଲା ଇସ୍ରାଏଲ

Odisha Hot News
2 Min Read

ତେଲ ଅଭିଭ: ଇସ୍ରାଏଲ ଅଧିକାରୀମାନେ ଗାଜା ଆକ୍ରମଣକୁ ଯଥାର୍ଥ ଦର୍ଶାଇବା ସହ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷଙ୍କୁ କହିଛନ୍ତି ଯେ, ଗାଜାପଟିରେ ବ୍ୟାପକ ବେସାମରିକ କ୍ଷୟକ୍ଷତି ପାଲେଷ୍ଟାଇନ ଅଞ୍ଚଳରେ ହମାସ ବିରୋଧରେ ଇସ୍ରାଏଲର ସାମରିକ ଅଭିଯାନରେ ଏକ ‘ଗ୍ରହଣୀୟ ମୂଲ୍ୟ’। ଇସ୍ରାଏଲର ଅଧିକାରୀମାନେ ଜର୍ମାନୀ ଓ ଜାପାନରେ ହୋଇଥିବା ବୋମା ବିସ୍ଫୋରଣକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଆମେରିକା ଓ ଏହାର ସହଯୋଗୀ ଶକ୍ତିମାନେ ହିରୋସିମା ଓ ନାଗାସାକି ଉପରେ ଦୁଇଟି ପରମାଣୁ ବୋମା ପକାଇବା ମଧ୍ୟ ସାମିଲ ଥିଲା।

ଗତ କିଛି ଦିନ ହେବ ଜୋ ବାଇଡେନ୍ ପ୍ରଶାସନ ଇସ୍ରାଏଲ-ହାମାସ ଯୁଦ୍ଧକୁ ନେଇ ନିଜର ଆଭିମୁଖ୍ୟ ବଦଳାଇଥିବା ବେଳେ ଇସ୍ରାଏଲ ଅଧିକାରୀମାନେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି। ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଆକାଶମାର୍ଗ, ସମୁଦ୍ର ଏବଂ ସ୍ଥଳପଥରେ ଅଭୂତପୂର୍ବ ଆକ୍ରମଣ କରିଥିଲା, ଯାହାକୁ ହଲୋକଷ୍ଟ ପରେ ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି। ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ଅଦ୍ୟାବଧି ୮,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହି ପ୍ରସଙ୍ଗରେ ଆମେରିକା ଇସ୍ରାଏଲକୁ ସବୁ ପ୍ରକାର ସମର୍ଥନ କରୁଛି। କିନ୍ତୁ ଯେତେବେଳେ ଇସ୍ରାଏଲ ଆକାଶମାର୍ଗରୁ ଗାଜା ଉପରେ ବୋମା ମାଡ଼ କରିବା ସହ ଉତ୍ତର ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କଲା, ବାଇଡେନ ପ୍ରଶାସନ ସତର୍କତାର ସହ ପ୍ରତିକ୍ରିୟା ପ୍ରକାଶ କରିଛି।

ଅକ୍ଟୋବର ୧୪ ତାରିଖରେ ଫିଲାଡେଲଫିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାଇଡେନ କହିଥିଲେ ଯେ, ଅଧିକାଂଶ ପାଲେଷ୍ଟିନୀୟଙ୍କର ହମାସ ସହ କୌଣସି ସମ୍ପର୍କ ନାହିଁ ଏବଂ ଏହାର ପରିଣାମ ସ୍ୱରୂପ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ୪ ଦିନ ପରେ ଇସ୍ରାଏଲ ଗସ୍ତ ସମୟରେ ବାଇଡେନ୍ ନେତାନ୍ୟାହୁଙ୍କୁ ରିଲିଫ ଯୋଗାଣ ପାଇଁ ଗାଜା ଓ ଇଜିପ୍ଟ ମଧ୍ୟରେ ଥିବା ରାଫା ସୀମାରେ ବୋମାମାଡ଼ ବନ୍ଦ କରିବାକୁ କହିଥିଲେ। ୨୦ଟି ସହାୟତା ଗାଡ଼ିକୁ ଗାଜାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ଇସ୍ରାଏଲ ଛାଡ଼ିବା ପରେ ବାଇଡେନ ସାମ୍ବାଦିକମାନଙ୍କୁ କହିଥିଲେ, ଇସ୍ରାଏଲ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି ସତ। କିନ୍ତୁ ଇସ୍ରାଏଲର ପ୍ରତିଶୋଧମୂଳକ ଆକ୍ରମଣରେ ନିରୀହ ଲୋକମାନେ ଯେପରି କମ୍ କ୍ଷତିଗ୍ରସ୍ତ ନ ହୁଅନ୍ତି, ଯେତେଦୂର ସମ୍ଭବ ତାହା ସେମାନେ ଦେଖିବା ଉଚିତ। ଯଦି ଆପଣଙ୍କ ପାଖରେ ଯନ୍ତ୍ରଣା ଦୂର କରିବାର ସୁଯୋଗ ଅଛି, ତେବେ ଆପଣ ଏହା କରିବା ଉଚିତ ବୋଲି ବାଇଡେନ କହିଥିଲେ। ଯଦିଓ ବାଇଡେନ ପ୍ରଶାସନ ଇସ୍ରାଏଲକୁ ସମର୍ଥନ ଜାରି ରଖିଛି, ତଥାପି ଅଧିକାରୀମାନେ ଗାଜାରେ ଇସ୍ରାଏଲର ମାରାତ୍ମକ ଆକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି, ଯେଉଁଥିରେ ଶହ ଶହ ପାଲେଷ୍ଟିନୀୟ ପ୍ରାଣ ହରାଉଛନ୍ତି ଏବଂ ଆହତ ହେଉଛନ୍ତି। ସେମାନେ ଏହା ମଧ୍ୟ ଆଶଙ୍କା କରୁଛନ୍ତି ଯେ ଗାଜାରେ ଏକ ପୂର୍ଣ୍ଣାଙ୍ଗ ସ୍ଥଳ ଅଭିଯାନ ପରେ ଭୟଙ୍କର ପରିଣାମ ସୃଷ୍ଟି ହେବା ସହ ମାନବିକ ସଙ୍କଟ ସୃଷ୍ଟି ହେବ।

Share This Article