ବିଶ୍ବକପ୍ : ନ୍ୟୁଜିଲାଣ୍ଡକୁ ୧୯୦ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

Odisha Hot News
2 Min Read

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୯୦ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ନ୍ୟୁଜିଲାଣ୍ଡର ପରାଜୟ ପରେ ସେମିଫାଇନାଲ ଦୌଡ଼ ଆହୁରି ରୋଚକ ହୋଇଛି ଓ ପାକିସ୍ତାନ ପାଇଁ ଆଶାର ସଂଚାର ହୋଇଛି ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ଆଗରେ ୩୫୮ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଏହି ବିଶା​ଳ ଟାର୍ଗେଟର ଚାପରେ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ଆଗରେ ନ୍ୟୁଜିଲାଣ୍ଡର କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ । କେବଳ ଗ୍ଲେନ ଫିଲିପ୍ସ ସର୍ବାଧିକ ୬୦ ରନ କରିଥିଲେ ଓ ଓ୍ବିଲ ୟଙ୍ଗ ୩୩ ରନ କରିଥିଲେ । ସେହିପରି ଡାରିଲ୍ ମିଚେଲ ୨୪ରନ କରିଥିଲେ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲେ ବି ଅଧିନାୟକ ତେମ୍ବା ବାଭୁମା ମାତ୍ର ୨୪ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ରାସି ଭାନ ଡଲ୍ ଦୁସେଁ ଲଢୁଆ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ହତାସ କରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡିକକ୍ ୧୧୪ରନ କରି ଟିମ ସାଉଥିଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଅନ୍ୟପଟେ ଦୁସେଁଙ୍କ ଲଢୁଆ ବ୍ୟାଟିଂ ଜାରି ରହିଥିଲା । ସେ ୧୩୩ ରନ କରି ସାଉଥିଙ୍କ ବଲରେ ବୋଲଡ୍ ହୋଇଥିଲେ । ସେହିପରି ଡେଭିଡ ମିଲର ୫୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୫୭ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଥି ୨ଟି, ଜେମ୍ସ ନିସାମ ଓ ଟ୍ରେଣ୍ଟ ବୋଲଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Share This Article