ଓଟିଡିସି ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୩ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ନିଗମର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୩ ପାଳନ କରାଯାଇ ସଚ୍ଚୋଟତା, ନୈତିକତା ରକ୍ଷା ସହ ଦୁର୍ନୀତି ବିରୋଧରେ ଲଢ଼େଇ ପ୍ରତି ଗଭୀର ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଟିଡିସିର ଅଧ୍ୟକ୍ଷ ଡଃ. ଲେନିନ ମହାନ୍ତି ଯୋଗଦେଇ ଉପସ୍ଥିତ ନିଗମର ସମସ୍ତ ଡିଭିଜନର ମୁଖ୍ୟ ଓ କର୍ମଚାରୀମାନଙ୍କୁ ବୃତ୍ତିଗତ ତଥା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଆଦି ସଂପର୍କରେ ଦୁର୍ନୀତି ନିବାରଣ ଶପଥପାଠ କରାଇଥିଲେ।

ସ୍ୱଚ୍ଛତା,ଉତ୍ତରଦାୟିତ୍ୱ ଏବଂ ସତର୍କତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଓଟିଡିସି ପକ୍ଷରୁ ସପ୍ତାହବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଜାରି ରହିବ ବୋଲି ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟରେ ସର୍ବୋଚ୍ଚ ନୈତିକତା ଏବଂ ନିଷ୍ଠା ବଜାୟ ରଖିବା ପାଇଁ ଓଟିଡିସିର ପ୍ରତିବଦ୍ଧତାକୁ ଦୋହରାଇବା ସହ ଦୁର୍ନୀତିମୁକ୍ତ ରହିବା ପାଇଁ ସର୍ବଦା ସଜାଗ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ କର୍ମଚାରୀଙ୍କୁ ଏହି ମୂଲ୍ୟବୋଧକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟଶୈଳୀରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ।

ଏହି ପ୍ରତିବଦ୍ଧତା ଓଟିଡିସିର କାର୍ଯ୍ୟ ପରିଚାଳନାକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ଏକ ଦୁର୍ନୀତିମୁକ୍ତ ସମାଜ ଗଠନର ଆହ୍ୱାନ ଭଳି ବୃହତ ମିଶନରେ ସହାୟକ ହେବ ବୋଲି ଓଟିଡିସି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

Share This Article