କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha Hot News
1 Min Read

ତିର୍ତ୍ତୋଲ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ପବିତ୍ର କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ଏବଂ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ‘ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଓ ପାଣି ଜୟନ୍ତୀ – ୨୦୨୩’ ସମାରୋହରେ ଯୋଗଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତିର୍ତ୍ତୋଲର ମାଟିରେ ଏକ ପ୍ରକାର ମହକ ଅଛି। ଏହି ଅଞ୍ଚଳ ପୁରାତନ ସଭ୍ୟତା ସହ ଯୋଡି ହୋଇ ରହିଥିବା ଚୀନ ପରିବ୍ରାଜକ ହୁଏନସାଂଙ୍କ ଭଳି ଐତିହାସିକମାନେ ମତ ଦେଇଛନ୍ତି। ଅନେକ ପ୍ରାକୃତିକ ଝଡ଼ ଓ ବିପର୍ଯ୍ୟୟକୁ ସାମ୍ନା କରିବା ପରେ ମଧ୍ୟ ଲୋକମାନେ ନିର୍ଭୀକରେ ଜୀବନଯାପନ କରୁଛନ୍ତି। ମା’ ଶାରଳାଙ୍କ ପବିତ୍ର ପୀଠ ଏଠାରେ ଅବସ୍ଥାପିତ।

ଓଡ଼ିଆ ଜାତିର ଆଦିକବି ଶୁଦ୍ରମୂନି ସାରଳା ଦାସ, ଭକ୍ତକବି ଯଶୋବନ୍ତ ଦାସଙ୍କ ପରି ମହାପୁରୁଷଙ୍କ ଦ୍ୱାରା ଏହି ମାଟି ସମୃଦ୍ଧମୟ ହୋଇଛି। ଏହା ଶକ୍ତି ଓ ସାରସ୍ୱତ ସାଧନାର ମିଳନ ସ୍ଥଳୀ। ଆଜି ଭଳି ପବିତ୍ର ଦିନରେ ସେଭଳି ଗାଁକୁ ଆସିବା ମୋର ସୌଭାଗ୍ୟ।

ଆଜିର କାର୍ଯ୍ୟକ୍ରମରେ ପ୍ରଦର୍ଶିତ ମାଆ ଶାରଳାଙ୍କ ଘଟନୃତ୍ୟ ମୋତେ ବିସ୍ମିତ କରିଛି। ଏହି ସ୍ଥାନରୁ ମୁଁ ମୋ ଜୀବନର ଅବିସ୍ମରଣୀୟ ସ୍ମୃତି ନେଇ ଯାଉଛି। ‘କୁମାର ଉତ୍ସବ ସମିତି’ ଦୀର୍ଘ ୫୦ ବର୍ଷ ଧରି ଲୋକକଳା ମାଧ୍ୟମରେ ଆମ ଉତ୍କଳୀୟ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ସମିତିର ସବୁ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

Share This Article