ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟରର ସେବା ସଂପ୍ରସାରିତ କରିବାକୁ ନିଷ୍ପତି

Odisha Hot News
1 Min Read

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗଠାରେ ପ୍ରତିଷ୍ଠିତ ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟରର ବିଭିନ୍ନ ସେବାକୁ ସଂପ୍ରସାରିତ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।

ଚଳନବାଧିତଙ୍କ ପାଇଁ ପ୍ରସିଦ୍ଧ ଜୟପୁର ଫୁଟ୍‌ ପ୍ରସ୍ତୁତିରେ ୫୦ ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଲୋକପି୍ରୟତା ଅର୍ଜନ କରିଥିବା ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି, ଜୟପୁର ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ ସ୍ଥାପିତ ଏହି ଫୁଟ୍‌ ସେଣ୍ଟର ଖୋର୍ଦ୍ଧା ଜିଲ୍ଲା ସହିତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ସେବା ଯୋଗାଇଦେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ଅପ୍ରେଲ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଫୁଟ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ହିତାଧିକାରୀ ଏହି କେନ୍ଦ୍ର ଦ୍ୱାରା ଉପକୃତ ହେଲେଣି।

ଭିନ୍ନକ୍ଷମମାନଙ୍କ ସୁବିଧା ଦୃଷ୍ଟିରୁ ଫୁଟ୍‌ ସେଣ୍ଟରର ସେବା ଖୋର୍ଦ୍ଧା ସମେତ ଗଞ୍ଜାମ, ପୁରୀ, କଟକ ଓ ନୟାଗଡ଼ ଜିଲ୍ଲାକୁ ସଂପ୍ରସାରିତ କରାଯିବ। କେନ୍ଦ୍ରର ଭ୍ରାମ୍ୟମାଣ ଯାନ ସହାୟତାରେ ବିଭିନ୍ନ ସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ର କୃତି୍ରମ ଗୋଡ଼ ସମେତ ଟ୍ରାଇ-ସାଇକେଲ୍‌, ଆଶାବାଡ଼ି ତଥା ଅନ୍ୟାନ୍ୟ ସହାୟକ ଉପକରଣ ଯୋଗାଇ ଦେଉଛି। ସଂପ୍ରସାରିତ ସେବା ଫଳରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ଉପକୃତ ହେବା ଲକ୍ଷ୍ୟରେ ଉପରୋକ୍ତ ପଦକ୍ଷେପ ନିଆଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ଆଭାସୀ ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ଅନ୍ୟାନ୍ୟ ପଦାଧିକାରୀ ଓ ଭୁବନେଶ୍ୱର ମହାନଗର ନିଗମର କମିଶନର ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

Share This Article