ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

Odisha Hot News
2 Min Read

ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।

ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ।

ଏହି ସମୟରେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ବିଜେପି ସଦସ୍ୟ ଦେଖାଇଥିଲେ। ଏହାପରେ ବାଚସ୍ପତିଙ୍କ ଉପରକୁ ଏହି ଡାଲି ଫିଙ୍ଗିଥିଲେ। ଏହାକୁ ନେଇ ମୁକେଶ ମହାଲିଙ୍ଗ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଡାଲି ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ଡାଲି ଉପହାର ଦେବା ପାଇଁ ଆଣିଥିଲୁ। ହେଲେ ବାଚସ୍ପତି ନିର୍ଦ୍ଦଳିୟ ନିଷ୍ପତି ନେବା କଥା ତାହା କଲେ ନାହିଁ।

ସେହିପରି ମୋହନ ମାଝି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ବିନା ଦୋଷରେ ସସପେଣ୍ଡ କରାଯାଇଛି। ମୁଁ ଡାଲି ଆଣି ନାହିଁ କି ଫୋପାଡି ନାହିଁ। ହେଲେ ମୋତେ କାହିଁକି ସସପେଣ୍ଡ କରାଗଲା ମୁଁ ଜାଣି ପାରୁ ନାହିଁ। ସେ ଡାଲି ଭଲ ପାଉଛନ୍ତି ବୋଲି ଆମ ବିଧାୟକ ତାଙ୍କୁ ଉପହାର ଦେବାକୁ ଆଣିଥିଲେ। ହେଲେ ମୁଁ ଏହା କରି ନାହିଁ।

ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ମୋତେ ଗୃହରେ ମେଣ୍ଟାଲ ଡିସଅଡର ବୋଲି କହିଲେ। ତାହାକୁ ଗୃହର ବିବରଣୀରୁ ବାଦ ଦେବା ପାଇଁ ଆମେ ବାଚସ୍ପତିଙ୍କୁ କହିଲୁ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପକ୍ଷ ନୁହଁନ୍ତି। ସେ ଦଳୀୟ ନେତାଙ୍କ ପରି ବ୍ୟବହାର କରୁଛନ୍ତି।

 

Share This Article