ଓଡ଼ିଶା ବିଧାନସଭା ବୁଲି ଦେଖିଲେ କଲିକତାର ସ୍କୁଲ ଛାତ୍ରଛାତ୍ରୀ

Odisha Hot News
1 Min Read

ଭୁବନେଶ୍ୱର: କଲିକତାର ଲର୍ଡ ସିହ୍ନା ରୋଡସ୍ଥିତ ଶ୍ରୀ ଶିକ୍ଷାୟତନ ସ୍କୁଲର ଦ୍ୱାଦଶ ଶ୍ରେଣୀ (ରାଜନୀତି ବିଜ୍ଞାନ) ଛାତ୍ରଛାତ୍ରୀମାନେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ଦେଖିଛନ୍ତି। ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ।

ଛାତ୍ରଛାତ୍ରୀମାନଙ୍କ ଓଡ଼ିଶା ବିଧାନସଭା ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଓ ଏ ସମ୍ବନ୍ଧୀୟ ବିଶଦ ତଥ୍ୟ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବିଧାନସଭା ଗୃହ ଓ ପରିସରରେ ଥିବା ଓଡ଼ିଶାର ବରପୁତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିମାନ ଛାତ୍ରଛାତ୍ରୀମାନଙ୍କୁ ଅଭିଭୂତ କରିଥିଲା।

ସୂଚନାଯୋଗ୍ୟ ଯେ କଲିକତାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସେପେଫମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅବସ୍ଥାନ କରି ପିପିଲି, କୋଣାର୍କ, ଖଣ୍ଡଗିରି, ଉଦୟଗିରି ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳ ବୁଲି ଦେଖିଛନ୍ତି। ଓଡ଼ିଶା ବିଧାନସଭା ବୁଲି ଦେଖିବା ସେମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂ ଓ ସଚିବ ଶ୍ରୀ ଶତପଥୀଙ୍କୁ ଜଣାଇଥିଲେ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶ୍ରୀ ଶିକ୍ଷାୟତନ ସ୍କୁଲର ଛାତ୍ରଛାତ୍ରୀ, ସେମାନଙ୍କର ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ସଚିବ ଶ୍ରୀ ଦାଶରଥି ଶତପଥୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଫଟୋ ଉଠାଇଥିଲେ।

Share This Article