କାଈପଡା ଗୁଳିକାଣ୍ତର ଶହିଦ ମାନଙ୍କ ରାଜ୍ୟସ୍ତରୀୟ ୮୧ତମ ଶହିଦ ଦିବସ ପାଳିତ

Odisha Hot News
2 Min Read

ଭୁବନେଶ୍ବର: କାଈପଡା ଗୁଳିକାଣ୍ତର ଶହିଦମାନଙ୍କ ରାଜ୍ୟସ୍ତରୀୟ ୮୧ତମ ଶହିଦ ଦିବସ ଶ୍ରଦ୍ଧାଞ୍ଜଳି ସମାରୋହ ଭୁବନେଶ୍ବରର ଶହିଦ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପାଳିତ ହୋଇଛି। ୧୯୪୨ ମସିହା ଅଗଷ୍ଟ ୨୬ ତାରିଖ ତଥା ରାକ୍ଷୀପୂର୍ଣ୍ଣିମା ତିଥିରେ ବରୀର କାଈପଡା ତଥା କଳାମାଟିଆ ଠାରେ ବ୍ରାହ୍ମଣୀ ନଦୀକୂଳରେ ସାଉଁଟି ମଲ୍ଲିକ, ସାନନ୍ଦ ସ୍ବାଇଁ, ହାଡିବନ୍ଧୁ ପଣ୍ତା ଏବଂ ମାୟାଧର ଭୂୟାଁ ଇଂରେଜ ମାନଙ୍କ ଗୁଳିରେ ଶହିଦ ହୋଇଥିଲେ।

ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ନୀଳମଣି ସାମଲ, ଶ୍ରୀ ପଦ୍ମଚରଣ ନାୟକ ବିଶିଷ୍ଟ ଅତିଥି, ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି , ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଉଦଘାଟିକା, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ମୁଖ୍ୟବକ୍ତା ଏବଂ ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥି ପ୍ରମୁଖ ଯୋଗଦେଇ ଶହିଦ ମାନଙ୍କ ଆତ୍ମବଳୀର ସ୍ମୃତିଚାରଣ କରିଥିଲେ। ସେଦିନର ଗୁଳିକାଣ୍ତର ମର୍ମସ୍ପର୍ଶୀ ଘଟଣା ଦେଶର ମାନସ ପଟରେ ସବୁବେଳେ ଉଦଭାସିତ ହେଉଥିବ। ସେମାନଙ୍କ ତ୍ୟାଗ ଓ ବଳିଦାନ ଚିରସ୍ମରଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ମ୍ୟାଟ୍ରିକ ପରୀକ୍ଷାର କୃତି ଛାତ୍ରଛାତ୍ରୀ, ପ୍ରଶାସନିକ ଅଧିକାରୀ, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ,ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଷେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କେନ୍ଦ୍ରାପଡାର ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶହିଦ ସ୍ମୃତି ପରିଷଦର ସଭାପତି ଡଃ ସର୍ବେଶ୍ବର ଶତପଥି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ସଂପାଦକ ଶ୍ରୀ ପ୍ରମେଶ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ରବି ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ସୁଶୀଲ କୁମାର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ।

Share This Article