ନିଯୁକ୍ତି ଦାବୀ କରି ଆୟୁଷ ଛାତ୍ରଛାତ୍ରୀଙ୍କ କଳାବ୍ୟାଚ ପିନ୍ଧି ଧାରଣା, ପାଠପଢା ବନ୍ଦ ଧମକ

Odisha Hot News
1 Min Read

ଭୁବନେଶ୍ବର: ନିଯୁକ୍ତି ଦାବୀ କରି ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଧାରଣରେ ବସିଛନ୍ତି। ରାଜ୍ୟରୁ ବିଭିନ୍ନ କଲେଜରୁ ପ୍ରତିବର୍ଷ ଶହଶହ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନୂଆ ପଦବୀ ସୃଷ୍ଟି କରୁ ନାହାଁନ୍ତି।

ଫଳରେ ପାଠପଢା ସାରି ରାଜ୍ୟର ଶହଶହ ଆୟୁଷ ଡାକ୍ତର ବେକାର ହୋଇ ବସୁଛନ୍ତି। ରାଜ୍ୟ ସରକାର ତୁରନ୍ତ ନୂତନ ପଦବୀ ସୃଷ୍ଟି କରି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବା ଦାବୀରେ ଗତକାଲିଠାରୁ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି।

କେବଳ ନିଯୁକ୍ତି ନୁହେଁ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଫଳରେ ଛାତ୍ରଛାତ୍ରୀମାନେ ପିଜି କରିବା ପାଇଁ ଚାହିଁଲେ କୌଣସି ସୁଯୋଗ ପାଇପାରୁ ନାହାନ୍ତି। ଏ ନେଇ ସେମାନେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।

ଗୋଟିଏ ପଟେ ସରକାର ଏଲୋପ୍ୟାଥୀ ଡାକ୍ତର ପଦବୀ ସୃଷ୍ଟି କରି ନିଯୁକ୍ତି ଦେଉଛନ୍ତି। ହେଲେ ଅନ୍ୟପଟେ ଆଯୁଷ କ୍ଷେତ୍ରରେ ତାହା ଲାଗୁ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ପାଠପଢା ବନ୍ଦ କରିଦିଆଯିବ ବୋଲି ଛାତ୍ରଛାତ୍ରୀ ଧମକ ଦେଇଛନ୍ତି।

Share This Article