ଜୋର ଧରିଲା ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ: ୧୨ ଘଟିଂଆ ଆସିକା ବନ୍ଦ

Odisha Hot News
3 Min Read

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଆସିକା ଠାରେ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ ନେଇ ଗୁରୁବାର ଦିନ ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଟିଂଆ ଆସିକା ବନ୍ଦ ପାଳନ ହୋଇଯାଇଛି। ଏହି ଅବସରରେ ସହରରେ ଚକ, ଅଖ ବନ୍ଦ କରାଯାଇଥିଲା।

ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ହିଞ୍ଜିଳୀକାଟୁ, କବିସୂର୍ଯ୍ୟନଗର, ବେଗୁନିଆପଡା, ପୋଲିସରାକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ କରି ଆସିକାରେ ଏହାର ସଦରକୁମା ସ୍ଥାପନ ପାଇଁ ଦାବୀ କରାଯାଇଥିଲା।

ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀରେ ଆସିକା ବନ୍ଦ ଡାକରା ବେଳେ ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବହୁ ସଦସ୍ୟ ଯୋଗ ଦେଇଥିଲେ। ଆସିକା ସହରର ମୁକୁନ୍ଦପୁର ଛକ, ବିଜୁ ଛକ, କାଳଷଣ୍ଡପୁର ଛକ, ବସଷ୍ଟାଣ୍ଡ ଛକ, ପାକଲ୍ଲାପଲ୍ଲୀ ଛକ ସମେତ ବହୁ ଛକରେ ପ୍ରିକେଟିଂ କରାଯାଇ ଋଷିକୁଲ୍ୟା ଜିଲ୍ଲା କରିବା ପାଇଁ ଦାବୀ କରାଯାଇଥିଲା।

ରାଜ୍ୟ ସରକାର ଓଡିଶାର ୧୩ ଟି ଜିଲ୍ଲାକୁ ପୁନଃଗଠନ କରି ଶାସନର ସୁଫଳ ଲୋକଙ୍କ ନିକଟରେ ପହଁଚାଇବା ନିମନ୍ତେ ୩୦ ଟି ଜିଲ୍ଲା ସୃଷ୍ଟି କରିଛନ୍ତି। ନୂତନ ଜିଲ୍ଲା ଗଠନ ଘୋଷଣା ପରିପ୍ରେକ୍ଷୀରେ ଆସିକା ସମେତ ଏହାର ଆଚଂଳିକ ପରିସର ଗୁରୁତ୍ୱକୁ ଉପଯୁକ୍ତ ଦୃଷ୍ଟି ଦିଆ ନଯାଇ ଉପେକ୍ଷା କରାଯାଇଥିବା ଅଭିଯୋଗ କରାଯାଇଥିଲା। ତିନି ଗୋଟି ପଚାଂୟତ ସମିତି ଓ ୨ ଲକ୍ଷ ୩୨ ହଜାର ଜନସଂଖ୍ୟାକୁ ନେଇ ଦେଓଗଡ ଜିଲ୍ଲା ଘୋଷଣା ହୋଇଥିବା ବେଳେ ଆସିକା ସମେତ ଧରାକୋଟ, ଶେରଗଡ, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ବେଗୁନିଆପଡା, ପୋଲସରା, ହିଞ୍ଜିଳିକାଟୁ ପ୍ରଭୃତି ୮ ଟି ବ୍ଲକର ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ ଯର୍ଥାର୍ଥ ବୋଲି ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇଥିଲା।

ଗଞ୍ଜାମ ଜିଲ୍ଲାର ଚାରୋଟି ବୃହତ ଶିଳ୍ପାନୁଷ୍ଠାନ ମଧ୍ୟରୁ ଦୁଇ ଗୋଟି ପ୍ରଧାନ ଶିଳ୍ପାନୁଷ୍ଠାନ ଆସିକା ଚିନିଶିଳ୍ପ ଆସିକା ସୂତାକଳ ରହିଛି। ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଏକ ସଂସ୍କୃତ ମହାବିଦ୍ୟାଳୟ, ଏକ ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୧୦ ଟି ବିଜ୍ଞାନ ଏବଂ କଳା ମହାବିଦ୍ୟାଳୟ, ୨ଟି ବୈଷୟିକ ବିଦ୍ୟାଳୟ ପ୍ରସ୍ତାବିତ ଋଷିକୁଲ୍ୟା ଜିଲ୍ଲାରେ ବିଦ୍ୟମାନ ରହିଛି। ରାଜନୈତିକ ଦୃଷ୍ଟିକୋଣରୁ ଭାରତ ଏକ ମାତ୍ର ଲୋକସଭା ଆସନ “ତହସିଲ ତଥା ପ୍ରସ୍ତାବିତ ଜିଲ୍ଲାର ଅନ୍ତର୍ଭୁକ୍ତ। ଏଥି ସହ ବିଚାର ବିଭାଗୀୟ କ୍ଷେତ୍ରରେ ବିଭିନ୍ନ ଫୈାଜଦାରୀ ଏବଂ ଦେୱାନୀ ଅଦାଲତ ଏଠାରେ ଅବସ୍ଥିତ ରହିଛି।

ନୂତନ ଜିଲ୍ଲା କାର୍ଯ୍ୟାଳୟ, ଏବଂ କର୍ମଚାରୀଙ୍କ ବାସଗୃହ ନିମନ୍ତେ ଆନୁସଙ୍ଗିକ କୋଠା ଏବଂ ସ୍ଥାନର ସୁବିଧା ଏଠାରେ ରହିଛି। ସମ୍ରାଟ ଅଶୋକଙ୍କ ଐତିହାସିକ ସହର ଏବଂ ବ୍ରିଟିଶ ଶାସନ ସମୟରୁ ଗମନାଗମନ କ୍ଷେତ୍ରରେ ଜଙ୍କସନ ଭାବରେ ସୁପରିଚିତ, ଶିକ୍ଷା,ଏବଂ ନ୍ୟାୟାଳୟ କ୍ଷେତ୍ରରେ ବରିଷ୍ଠତା ପ୍ରତିପାଦନ କରୁଥିବା ପ୍ରସ୍ତାବିତ “ଋଷିକୁଲ୍ୟା ଜିଲ୍ଲା” ଘୋଷଣା ଜନସାଧାରଣଙ୍କ ନାର୍ଯ୍ୟ ଦାବୀ ବୋଲି ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଥିଲା। ଏଣୁ ରାଜ୍ୟ ସରକାର ଋଷିକୁଲ୍ୟା ଜିଲ୍ଲା ଭୂଖଣ୍ଡକୁ ଜିଲ୍ଲା ରୁପେ ଘୋଷଣା କରି ଆସିକାରେ ଏହାର ସଦରମହକୁମା ପ୍ରତିଷ୍ଠା ନେଇ ଜନସାଧାରଣଙ୍କ ନ୍ୟାର୍ଯ୍ୟ ଦାବୀକୁ ଉଚିତ ସମ୍ମାନ ଦେବା ପାଇଁ ଦାବୀ କରାଯାଇଥିଲା।

ଆସିକା ସହରକୁ ସଂଯୋଗ କରୁଥିବା ଗତି ପଥରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକକୁ କଡାକଡି କରିଥିଲେ। ପିକେଟିଂ, ବ୍ଲକିଙ୍ଗ ଏବଂ ରାଲିରେ ଆନ୍ଦୋଳନକାରୀ ମାନେ ଜନମତ ସଂଗ୍ରହ ସାଙ୍ଗକୁ ଜିଲ୍ଲା ଗଠନ ପାଇଁ ସ୍ଲୋଗାନ ଦେଇଥିଲେ। ଦଳଗତ ନିର୍ବିଶେଷରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଥିଲା। ଏଥିରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ଥିଲା। ମୋଟ ୫୯ ଟି ସଂଗଠନ ଜିଲ୍ଲା ଦାବୀକୁ ସମର୍ଥନ ଜଣାଇଛନ୍ତି।

Share This Article