ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି କୁହାଯାଏ,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ ।
ଯଜ୍ଞର କର୍ମକାଣ୍ଡରେ ଋକ, ଯଜୁଃ ଓ ସାମ-ଏହି ତିନି ବେଦରୁ ମନ୍ତ୍ର ପାଠ କରାଯାଏ । ‘ବ୍ରହ୍ମା’ ଯଜ୍ଞର ଅଧ୍ୟକ୍ଷରୂପେ କାର୍ଯ୍ୟ କରନ୍ତି । ସେ ଚାରିବେଦର ଜ୍ଞାତା ଓ ଅଥର୍ବବେଦର ବିଶେଷଜ୍ଞ ।
ବେଦ ଆର୍ଯ୍ୟମାନଙ୍କର ଆଦି ଧର୍ମ ଗ୍ରନ୍ଥ ଏବଂ ସମଗ୍ର ପୃଥିବୀର ପ୍ରାଚୀନତମ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଦ ସ୍ୱଂୟ ଭଗବାନଙ୍କର ମୁଖନିଃସୃତ ବାଣୀ ବୋଲି ଆର୍ଯ୍ୟମାନେ ବିଶ୍ୱାସ କରନ୍ତି । ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ । ବେଦ ବହୁ ସ୍ତୋତ୍ର, ମନ୍ତ୍ର ଓ ବିଭିନ୍ନ ଉପାଦେୟ ତଥ୍ୟର ସମଷ୍ଟି ମାତ୍ର । ଏହା ବିଭିନ୍ନ ସମୟରେ ବହୁ ଜ୍ଞାନୀ ମୁନି-ଋଷିମାନଙ୍କଦ୍ୱାରା ରଚିତ ହୋଇଥିଲା ।
ଋଗ୍ବେଦ
ବିଜ୍ଞାନକାଣ୍ଡ ଭାବେ ପରିଚିତ ଋଗ୍ବେଦ ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗବେଦରେ ଋଚା (ବୈଦିକ ମନ୍ତ୍ର ସଂଖ୍ୟା) ୧୦,୫୮୦।
ଏହାର ଅଧିପତି ଗ୍ରହ ବୃହସ୍ପତି,ବାର ଗୁରୁବାର। ଆୟୁର୍ବେଦ ଏହାର ଉପବେଦ । ମନୁଷ୍ୟକୁ ଜ୍ଞାନ ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।ଏହାର ୨୧ଟି ଶାଖା ଥିବାର ଚାରଣ ବ୍ୟୁହ ଗ୍ରନ୍ଥରୁ ଜଣାଯାଏ । ଏହାର ସ୍ୱଭାବ ସାତ୍ତ୍ୱିକ ଏବଂ ଏହାକୁ ବାଚିକ ଓ ଉଚ୍ଚସ୍ୱରରେ ପଢାଯାଏ ।
ଯଜୁର୍ବେଦ
କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ୱା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶି ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି।
ସାମବେଦ
ଉପାସନା କାଣ୍ଡ ଭାବେ ପରିଚିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୁଏ । ଏହାର ଅଧିପତି ଗ୍ରହ ମଙ୍ଗଳ,ବାର ମଙ୍ଗଳବାର । ସାମବେଦ ଅଧ୍ୟାତ୍ମମୁଖୀ, ଏହା ମନୁଷ୍ୟର ଆନ୍ତରିକ ଗୁଣଗୁଡ଼ିକୁ ବିକଶିତ କରେ । ଗାନ୍ଧର୍ବବେଦ (ସଙ୍ଗୀତ ବିଦ୍ୟା) ସାମବେଦର ଉପବେଦ ବା ଅଙ୍ଗ ଅଟେ । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ ।
ଅଥର୍ବ ବେଦ
ଅଥର୍ବ ବେଦ ୨୦କାଣ୍ଡରେ ବିଭକ୍ତ । ଏହିରେ ସର୍ବମୋଟ ୭୩୧ ସୂକ୍ତ ଓ ୫,୯୭୭ ବୈଦିକ ମନ୍ତ୍ର ରହିଛି । ଅଥର୍ବ ବେଦରେ ଅନେକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ଋଚା ଅଛି । ଏହାର ଅଧିପତି ଗ୍ରହ ବୁଧ(ସୌମ୍ୟ)ଓ ବାର ବୁଧବାର । ଏହାର ୯ଟି ଶାଖା, ୫ଟି କଳ୍ପ, ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି । ଏହାର ଉପବେଦ ସ୍ଥାପତ୍ୟ,ଅର୍ଥବେଦ ଅଟେ । ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଏ ।
ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ

Comment