ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ନାହିଁ। କୌଣସି ଖରାପ ଅଭ୍ୟାସକୁ ନ ଆପଣାଇବାକୁ ଆପଣ ସମ୍ପୂର୍ଣ୍ଣ ରୂପେ ଚେଷ୍ଟା କରୁଛନ୍ତି। ମଦ, ସିଗାରେଟ୍ ଭଳି ନିଶାଠାରୁ ଦୂରେଇ ରହୁଥିଲେ ମଧ୍ୟ ଦିନଚର୍ଯ୍ୟାରେ ଏମିତି କିଛି କାମ କରୁଛନ୍ତି ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହୁଛନ୍ତି ତାହା ଧୂମପାନଠାରୁ ଅଧିକ ବିପଦପୂର୍ଣ୍ଣ। ଆପଣ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସମ୍ମୁଖରେ କାମ କରୁଛନ୍ତି। କାହାରିକୁ ଅପେକ୍ଷା କରି, ଗପସପ କରି ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସିଯାଉ। ତେବେ ଏହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି ଗବେଷଣାରୁ ଜଣାପଡ଼ିଛି।
ଏହି ଗବେଷଣାରେ ୯ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସିବା ଦ୍ବାରା ହଜମ ଶକ୍ତି ହ୍ରାସ ପାଏ। ଯାହାଫଳରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଏ। ଗବେଷଣା ଅନୁସାରେ ସ୍ବଳ୍ପ ଶାରୀରିକ ପରିଶ୍ରମ ଏବଂ ଅସନ୍ତୁଳିତ ଜୀବନଶୈଳୀ ପାଇଁ ୬ ପ୍ରତିଶତ ହୃଦ୍ରୋଗ ସସମ୍ୟା, ୭ ପ୍ରତିଶତ ମଧୁମେହ ସମସ୍ୟା ଏବଂ ୧୦ ପ୍ରତିଶତ ସ୍ତନ କର୍କଟ ଆଶଙ୍କା ବୃଦ୍ଧି ପାଏ।
ଜର୍ଣ୍ଣାଲ ସର୍କ୍ୟୁଲେସନ ଗବେଷଣା ରିପୋର୍ଟ ଅନୁଯାୟୀ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାଂଶ ଯୁବପିଢ଼ି ୯ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବସି ରହନ୍ତି। କେବଳ ୭ ଘଣ୍ଟା ଶୋଇବାକୁ ସମୟ ମିଳେ। ଏହିଭଳି ଅଭ୍ୟାସ ପାଇଁ ସେମାନଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼େ। ଗବେଷକଙ୍କ କହିବାନୁସାରେ ବସି ରହିବା ସିଗାରେଟ୍ ସେବନଠାରୁ କୌଣସି ଗୁଣରେ କମ୍ ନୁହେଁ।
ଏହାକୁ ଦୃଷ୍ଟିରେ ରଖି ବିଶ୍ବରେ ଅନେକ ସଂସ୍ଥା ଠିଆ ହୋଇ କାମ କରିବା ପରମ୍ପରା ଆରମ୍ଭ କରିଛନ୍ତି। ସେଠାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଅଳ୍ପ ଉଚ୍ଚ ଡେସ୍କ ତିଆରି କରାଯାଉଛି ଏବଂ ଠିଆ ହୋଇ କାମ କରାଯାଉଛି। ଯଦି ଦିନରେ ୫ଟି ମିଟିଂ ରହିଛି ତେବେ ସେଥିରୁ ଦୁଇଟି ମିଟିଂକୁ ୱାକ୍ ମିଟିଂ ବା ହାଇକିଂ ମିଟିଂର ନାମ ଦିଆଯାଉଛି। ଅର୍ଥାତ ଏହି ମିଟିଂ ବସିକି କରା ନ ଯାଇ ଚାଲି ଚାଲି କରାଯାଉଛି।
Comment