କିଟରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦଘାଟିତ

Odisha Hot News
3 Min Read

ଭୁବନେଶ୍ୱର: ପ୍ରଥମ ଜନଜାତି ଖେଳ ମହୋତ୍ସବ ଆଜି କିଟ୍‍ ରେ ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ, ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ କିଟ୍‍-କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଓଡ଼ିଶା ସରକାର ଓ କିଟ୍‍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜନଜାତି ଖେଳ ମହୋତ୍ସବ ୧୨ ତାରିଖରେ ଉଦ୍‍ଯାପିତ ହେବ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ କ୍ରୀଡ଼ାରେ ବିଜୟ ଓ ପରାଜୟ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। ପ୍ରତ୍ୟେକ ନିଜ ନିଜର ସଫଳତା ପ୍ରତି ଧ୍ୟାନ ଦେବା ଉଚିତ। ସମଗ୍ର ବିଶ୍ୱରେ ସର୍ବଦା ପ୍ରତିଯୋଗିତା ଚାଲିଛି। ଏହି ପରିପ୍ରେକ୍ଷୀରେ ଖେଳାଳିମାନେ ସର୍ବଦା ଶ୍ରେଷ୍ଠତା ପ୍ରତିପାଦନ କରିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ା ଓ ଶିକ୍ଷାକୁ ସମାନ ଭାବେ ଗୁରୁତ୍ୱ ଦେଇ ଖେଲୋ ଇଣ୍ଡିଆ ଭଳି ଜନଜାତି ଖେଳ ମହୋତ୍ସବର ପରିକଳ୍ପନା କରିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଚଳିତ ଶିକ୍ଷାନୀତିରେ କ୍ରୀଡ଼ାକୁ ଶିକ୍ଷାରେ ସାମିଲ କରିଛନ୍ତି। ଦେଶର ଅଧିକାଂଶ କ୍ରୀଡ଼ାବିତ୍‍ ଜନଜାତି ସମ୍ପ୍ରଦାୟରୁ ଆସିଛନ୍ତି। ଜନଜାତି ଖେଳ ମହୋତ୍ସବ ଦ୍ୱାରା ଜନଜାତି କ୍ରୀଡ଼ାବିତ୍‍ଙ୍କ ପ୍ରତିଭା ନିଶ୍ଚିତ ଭାବେ ଲୋକଲୋଚନକୁ ଆସି ପାରିବ ବୋଲି ସେ କହିଥିଲେ।

ଜନଜାତି ଖେଳ ମହୋତ୍ସବ ଉପରେ ସୂଚନା ଦେଇ ଶ୍ରୀମତୀ ନନ୍ଦୁରୀ କହିଲେ, ଆଜାଦୀ କା ଅମୃତ ମହୋତ୍ସବ ଅଭିଯାନ ବିଶ୍ୱର ସର୍ବବୃହତ ଅଭିଯାନରେ ପରିଣତ ହୋଇଛି। ଆଜାଦୀ କା ଅମୃତ ମହୋତ୍ସବ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ଏହି ଗୋଟିଏ ଅଭିଯାନ ଅଧୀନରେ ୨ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ଆୟୋଜିତ ହୋଇସାରିଛି। ଜନଜାତି ଖେଳ ମହୋତ୍ସବ ପରିକଳ୍ପନା ହେବା ବେଳେ ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ କିଟ୍‍ ଓ କିସ୍‍ ରେ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ସଂସ୍କରଣରେ ୧୦ଟି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବା ସହ ୨୦ ବିଭିନ୍ନ ବିଭାଗରେ ପ୍ରଦର୍ଶନୀ କ୍ରୀଡ଼ା ଆୟୋଜିତ ହେବ। ଏହା ଛଡ଼ା ଜନଜାତି ଖେଳ ମହୋତ୍ସବ ଉପରେ ବିଭିନ୍ନ ଆଲୋଚନାଚକ୍ରମାନ ମଧ୍ୟ ଆୟୋଜିତ ହେବ ବୋଲି ସେ କହିଥିଲେ।

ଶ୍ରୀ ତିର୍କୀ କହିଲେ, ପ୍ରଥମ ଥର ଲାଗି ଦେଶର ୨୬ଟି ରାଜ୍ୟର କୋଚ ଓ ଅଫିସିଆଲଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ୱ ଜନଜାତି ଖେଳାଳି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି, ଏହା ଓଡ଼ିଶା ପାଇଁ ଗୌରବର ବିଷୟ। ଦେଶର ଅନେକ କ୍ରୀଡ଼ାବିତ୍‍ ଜନଜାତି ସମ୍ପ୍ରଦାୟରୁ ଆସିଛନ୍ତି ଓ ନିଜ ପ୍ରତିଭା ବଳରେ ଦେଶର ନାମକୁ ଉଜ୍ଜ୍ୱଳ କରିଛନ୍ତି ବୋଲି ସେ କହିଥିଲେ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଜନଜାତି ଖେଳ ମହୋତ୍ସବ ଏକ ଇତିହାସ ହୋଇ ରହିବ। ସ୍ୱାଗତ ସମ୍ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ଜନଜାତି ଖେଳ ମହୋତ୍ସବକୁ ଏକ ବିରାଟ ଆକାରରେ ଆୟୋଜନ କରାଯିବାର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ ଦିଆଯାଇ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଛି। ଶ୍ରୀ ସାମନ୍ତ କ୍ରୀଡ଼ା ଓ ସଂସ୍କୃତି, ଜନଜାତି ଓ କ୍ରୀଡ଼ା, ଆଦି ଓ ଆଧୁନିକତା ଭଳି ତିନୋଟି ସାମଞ୍ଜସ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ପ୍ରଥମ ଜନଜାତି ମହୋତ୍ସବ ଜର୍ସୀ, ମାସ୍କଟ ଓ ସୂଚନାପତ୍ରିକା ଉନ୍ମୋଚିତ ହୋଇଥିଲା।

Share This Article