ଭଦ୍ରକ: ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ ମଲ୍ଲିକଙ୍କର ଘରୁ ୧୧ ଲକ୍ଷ ୯୨ ହଜାର ଟଙ୍କା ନଗଦ ଠାବ ହୋଇଛି । ଶାନ୍ତନୁ ମଳିକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ । ମହଙ୍ଗା ଭତ୍ତା ରିଲିଜ୍ କରିବା ଲାଗି ସେ ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡିଥିଲେ । ଲାଞ୍ଚନେଇ ଧରାପଡିବା ପରେ ଶାନ୍ତନୁ ମଲ୍ଲିକଙ୍କ ଘର ଏବଂ ଅଫିସ୍ ସମେତ ୩ଟି ସ୍ଥାନରେ ଚଢାଉ କରାଯାଇଛି । ଭଦ୍ରକ ଓ ଖଜୁରିଆପଡା ଘର ସହ କାର୍ଯ୍ୟାଳୟରେ ରେଡ୍ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସୂଚନା ଥାଉକି, ୬୦ ହଜାର ଟଙ୍କା ଲାଞ୍ଚ ନେଇସାରିବା ପରେ ପୁଣି ୧୦ ହଜାର ଟଙ୍କା ଲାଞ୍ଚ ନେବାପାଇଁ ଶିକ୍ଷକଙ୍କୁ ହେବାକୁ ପଡିଲା ନାକେଦମ୍ । ଆଉ ଏହି ୧୦ ହଜାର ଟଙ୍କା ଲାଞ୍ଚ ନେବା ପରେ ଢେଙ୍କାନାଳ ଜିଲା ହିନ୍ଦୋଳ ଶିକ୍ଷାଧିକାରୀଙ୍କୁ କାବୁ କରିଛି କଟକ ଭିଜିଲାନ୍ସ । କାବୁ ହୋଇଥିବା ବିଇଓ ଶାନ୍ତନୁ ମଲ୍ଲିକଙ୍କ ଠାରୁ ଲାଞ୍ଚ ନେଉଥିବା ୧୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ତେବେ ଗିରଫ ପରେ ଏହି ସରକାରୀ ବାବୁଙ୍କ ଭଡା ଘର ଓ ନିଜସ୍ୱ ଘରୁ ଭିଜିଲାନ୍ସ ଚଢାଉ କରି ନଗଦ ୧୧ ଲକ୍ଷ ୯୨ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି । ଏହି ଲାଞ୍ଚୁଆ ବିଇଓ ହେଲେ ହିନ୍ଦୋଳ ବ୍ଲକ୍ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ । ତାଙ୍କ ଭଡାଘର ଖଜୁରିଆକଟାରୁ ଲାଞ୍ଚ ଟଙ୍କା ସହ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ପରେ ଭିଜିଲାନ୍ସ ଏକକାଳୀନ ତାଙ୍କ ଖଜୁରିଆକଟାସ୍ଥିତ ଭଡାଘର, ହିନ୍ଦୋଳନ ବିଇଓ କାର୍ଯ୍ୟାଳୟ ଓ ଭଦ୍ରକ ସହର କୁଆଁସ ସ୍ଥିତ ବାସଭବନ ଏପରି ୩ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଗିରଫ କରି ଶାନ୍ତନୁ ମଲ୍ଲିକଙ୍କୁ ଭିଜିଲାନ୍ସ କଟକ ନେଇଥିବାବେଳେ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏହି ଚଢାଉରେ ଖଜୁରିଆକଟା ତାଙ୍କ ଭଡାଘରୁ ନଗଦ ୮୨ ହଜାର ଟଙ୍କା ଓ ଭଦ୍ରକ ସହରର କୁଆଁସ ସ୍ଥିତ ତାଙ୍କ ବାସଭବନରୁ ୧୧ ଲକ୍ଷ ୧୦ ହଜାର ୩୭୦ ଟଙ୍କା ଏପରି ନଗଦ ମୋଟ ୧୧ ଲକ୍ଷ ୯୨ ହଜାର ୩୭୦ ଟଙ୍କା ଭିଜିଲାନ୍ସ ଜବତ କରିବାରେ ସକ୍ଷମ ହୋଇଛି । ଫଳରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ଖାନ୍ତଲାସ ଜାରି ରଖିଛି ।
ବ୍ଲକ୍ ଶିକ୍ଷାଧିକାରୀଙ୍କ ଘରୁ ମିଳିଲା ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ଘର, ଅଫିସ୍ ସମେତ ୩ ସ୍ଥାନରେ ରେଡ୍

- Advertisement -
Comment