ଏଡିଜେଙ୍କ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

Odisha Hot News
1 Min Read

ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ଚାର୍ଜଫ୍ରେମ ପାଇଁ ହାଜର କରାଯାଇଥିଲା। ତେବେ ପୁଞ୍ଜିଲାଲଙ୍କ ଆଡଭୋକେଟ୍‌ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ। ଏହି ତଥ୍ୟ ମିଳି ନ ଥିବାରୁ ପାଟଣାଗଡ଼ ଏଡିଜେ ଚାର୍ଜଫ୍ରେମ ପ୍ରକ୍ରିୟାକୁ ଆସନ୍ତା ୨୬ ତାରିଖକୁ ଘୁଞ୍ଚାଇ ଦେଇଥିବା ଜଣାପଡିଛି। ଏନେଇ ପୁଞ୍ଜିଲାଲଙ୍କ ଆଡଭୋକେଟ ଶ୍ରୀମତ୍‌ ପାଣିଗ୍ରାହୀଙ୍କୁ ପଚାରିବାରୁ ଶୁକ୍ରବାର ପୁଞ୍ଜିଲାଲଙ୍କ ବିରୋଧରେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଚାର୍ଜଫ୍ରେମ ହେବାର ଥିଲା। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲୁ। ତେବେ ତଥ୍ୟ ଯୋଗାଇ ଦିଆଯାଇ ନ ଥିବାରୁ ଚାର୍ଜଫ୍ରେମ ପ୍ରକ୍ରିୟାକୁ ଏଡିଜେ ଆସନ୍ତା ୨୬ ମାର୍ଚ୍ଚକୁ ଘୁଞ୍ଚାଇ ଦେଇଥିବା ସେ କହିଛନ୍ତି।
୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ ବ୍ରହ୍ମପୁରା ଛକ ନିକଟ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ଅଧ୍ୟାପକ ସାହୁଙ୍କ ଏକମାତ୍ର ନବବିବାହିତ ପୁଅ ସୌମ୍ୟଶେଖର ସାହୁ(୨୬) ଓ ପିଉସୀ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା।
ସୌମ୍ୟଶେଖରଙ୍କ ନବବିବାହିତ ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସାରେ ରହିଥିଲେ। ପାର୍ସଲ ବୋମା ବିସ୍ଫୋରଣ ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ୍‌ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା। ପୁଞ୍ଜିଲାଲ ବର୍ତ୍ତମାନ ବଲାଙ୍ଗୀର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ମୃତ ସୌମ୍ୟଶେଖରଙ୍କ ବାପା ଅଧ୍ୟାପକ ସାହୁ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଦୁଇବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାଏ କୋର୍ଟରେ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରି ନ ଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଆଇନ ବ୍ୟବସ୍ଥା ଉପରେ ଭରସା ରହିଛି ଓ ତାଙ୍କ ପରିବାର ନ୍ୟାୟ ପାଇବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Share This Article
Leave a Comment