ବୁଡ଼ିଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି! ‌

Odisha Hot News
1 Min Read

ପୁରୀ : ବୁଡ଼ିଯିବ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମା ପାଣ୍ଠି! ୟେସ୍‌ ବ୍ୟାଙ୍କର ଦେବାଳିଆସ୍ଥିତି ପରେ ଏପରି କିଛି ଆଶଙ୍କା ଜଗନ୍ନାଥପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଏତେ ପରିମାଣର ଜମା ଟଙ୍କା ଏହି ବ୍ୟାଙ୍କ ପାଖରୁ କିପରି ଫେରସ୍ତ ଆସିବ, ତାକୁ ନେଇ ସମସ୍ତେ ଚିନ୍ତାପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଯେଉଁମାନେ ଚଞ୍ଚକତା ପୂର୍ବକ ଏତେ ପରିମାଣର ଟଙ୍କା ଏହି ଘରୋଇ ବ୍ୟାଙ୍କରେ ଜମା ଦେଇଥିଲେ, ସେମାନଙ୍କୁ ଏଥି ପାଇଁ ଟଣାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି।

ମହାପ୍ରଭୁଙ୍କ ଏହି ଜମାଟଙ୍କାରୁ ମନ୍ଦିର ଚଳେ। ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ, ସମସ୍ତେ ଦରମା ନିଅନ୍ତି। ଯଦି ଉପରୋକ୍ତ ଟଙ୍କା ବୁଡ଼ିଯାଏ, ତେବେ ଶ୍ରୀମନ୍ଦିର ପରିଚାଳନାରେ ମହାବିଭ୍ରାଟ ଉପୁଜିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଗତ ଫେବ୍ରୁଆରି ୨୦ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ୍‌ ବ୍ୟାଙ୍କକୁ ନେଇ ତୁମ୍ବିତୋଫାନ ହୋଇଥିଲା। ଜାତୀୟକରଣ ବ୍ୟାଙ୍କକୁ ଅଣଦେଖା କରି କାହିଁକି ଏକ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଜମା ରଖାଗଲା ବୋଲି ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଥିଲେ, ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠିକୁ ଜମା ରଖା ଯାଉଥିଲା। ମାତ୍ର କେଉଁ ପରିସ୍ଥିତିରେ ୟେସ୍‌ ବ୍ୟାଙ୍କ ନାମକ ଏକ ଘରୋଇ ବ୍ୟାଙ୍କକୁ ମହାପ୍ରଭୁଙ୍କ ପାଣ୍ଠି ଜମା ଆକାରରେ ଦିଆଗଲା, ତାହାର ତଦନ୍ତ କରାଯାଉ ବୋଲି ପରିଚାଳନା କମିଟି ସଦସ୍ୟମାନେ ଦାବି କରିଥିଲେ। ଏଥିପାଇଁ ପରିଚାଳନା କମିଟିର ଅନୁମୋଦନ କାହିଁକି ନିଆଗଲା ନାହିଁ ବୋଲି ସମସ୍ତେ ପ୍ରଶ୍ନ ଉଠାଇଥିଲେ।

Share This Article
Leave a Comment