ଭୁବନେଶ୍ବର : ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଉଦ୍ଦେଶ୍ୟରେ ହୋଇଥିବା ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିର୍ମାଣ ସଂକ୍ରାନ୍ତ ଚିଠା ନକ୍ସାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହାକୁ ଚୂଡାନ୍ତ ରୂପ ଦେବା ପୂର୍ବରୁ ଏ ସଂକ୍ରାନ୍ତରେ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତ ମତକୁ ତର୍ଜମା କରିବା ପରେ ଆସନ୍ତା ଫେବ୍ରୁଆରି ମାସରେ ଏହି ଐତିହ୍ୟ କରିଡର ନକ୍ସାକୁ ଚୂଡାନ୍ତ ରୂପ ଦିଆଯିବ।
ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି କରିଡର ନିର୍ମାଣ ପାଇଁ ଯେଉଁମାନେ ଜମି ଦାନ କରିଛନ୍ତି, ସେମାନଙ୍କ ନାମ ଫଳକ ସବୁଦିନ ପାଇଁ ସେଠାରେ ସଂରକ୍ଷିତ ରଖାଯିବ। ସମସ୍ତ ଅଧିଗୃହୀତ ଜମିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ। ଆଜି ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷ ଜମି ଦାନ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ତାର ଚତୁଃପାର୍ଶ୍ବରେ ୭୫ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯାଇଛି। ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରକାର ଆରମ୍ଭ କରିଛନ୍ତି। ଆଜି ଲୋକାର୍ପିତ େହାଇଥିବା ଚିଠା ନକ୍ସାରେ କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ସଂପର୍କରେ ସୂଚୀତ କରାଯାଇଛି। ସରକାର ଶ୍ରୀମନ୍ଦିର ସୁରକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିମନ୍ତେ େଯାଜନା ପ୍ରସ୍ତୁତି ଦାୟିତ୍ବ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀଙ୍କୁ ଅର୍ପଣ କରିବା ଲାଗି ସ୍ଥିର କରିଛନ୍ତି।
ପୁରୀକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ କିଭଳି ସମସ୍ତ ସୁବିଧା ସୁଯୋଗ ମିଳିବ, ଏକ ପବିତ୍ର ଅନୁଭୂତି ନେଇ ଫେରିବେ, ତାହାକୁ ଲକ୍ଷ୍ୟ ରଖି ଏହି ପାରିପାର୍ଶ୍ବିକ ବିକାଶକୁ ସରକାର ଗୁରୁତ୍ବ ଦେଇଥିବା କହିଛନ୍ତି। ଏଥିରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡି ସହିତ ମଝିରେ ମଝିରେ ବିଶ୍ରାମ ନେବାଲାଗି ବ୍ୟବସ୍ଥା ରହିଛି। ଯାତ୍ରୀମାନଙ୍କ ପାଦ, ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି, ପିଇବାପାଣି ଓ ଶୌଚାଳୟ ବ୍ୟବସ୍ଥା ରହିଛି।
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର, ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସଂପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ସରକାର ପଦକ୍ଷେପ ନେବେ। ସେହିଭଳି ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିକ ପ୍ରଦର୍ଶନ ଆୟୋଜନ ମଧ୍ୟ କରାଯିବ।
ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟ, ମୁଖ୍ୟଶାସନ ସଚିବ, ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଥାଉକି, ଜନସାଧାରଣ ମତାମତ ପଠାଇବା ପାଇଁ ଇ -ମେଲ (jagannath.or@nic.in), ଫାକ୍ସ (୦୬୭୫୨-୨୫୨୧୦୦) ଓ ଟେଲିଫୋନ୍ (୦୬୭୫୨-୨୫୨୯୦୦) ନମ୍ବର ସରକାର ଜାରି କରିଛନ୍ତି।