୧୯ ଲକ୍ଷ ଚାଷୀଙ୍କୁ ମିଳିବ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ : କୃଷି ମନ୍ତ୍ରୀ

Odisha Hot News
2 Min Read

ଭୁବନେଶ୍ବର : ଆକଳନ କୁହେ, ସମଗ୍ର ବିଶ୍ବରେ ବର୍ଷକୁ ୭୫ ବିଲିଅନ୍‌ ଟନ୍‌ ମାଟି କ୍ଷୟ ହେଉଛି। ଅର୍ଥାତ ଚାଷଜମିରୁ ଉର୍ବର ମୃତ୍ତିକା କ୍ଷୟ ହୋଇ ସମୁଦ୍ର ଓ ଅନ୍ୟାନ୍ୟ ବୃହତ୍ ଜଳାଶୟରେ ଜମା ହେଉଛି। ଯଦି ଏହି ଧାରା ଜାରି ରହେ ଓ ଜୀବସତ୍ତାର ମୂଳାଧାର ମାଟିର ସଂରକ୍ଷଣ ପ୍ରତି ଉପଯୁକ୍ତ ଦୃଷ୍ଟି ଦିଆନଯାଏ, ତେବେ ଆଗାମୀ ପିଢ଼ିକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ତେଣୁ ଚାଷୀମାନଙ୍କୁ ଉପଯୁକ୍ତ ତାଲିମ୍ ଦେବା ସଙ୍ଗେସଙ୍ଗେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏହି ସଂକଟର ମୁକାବିଲା ପାଇଁ ନିଆଯାଇଥିବା ଉଦ୍ୟମକୁ ଆହୁରି ବ୍ୟାପକ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୯ଲକ୍ଷ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରାଯିବା ଲକ୍ଷ୍ୟ ରଖାଯାଇଛି। ଆଜି ବିଶ୍ବ ମୃତ୍ତିକା ଦିବସ ଅବସରରେ ଓଡ଼ିଶା କୃଷି ଭବନରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ଏହି ସୂଚନା ଦେଇଛନ୍ତି।

ଓଡ଼ିଶା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାର ମୁଖ୍ୟ ଅତିଥି ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ ଯେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆଧୁନିକ କୃଷି ପ୍ରଣାଳୀକୁ ଆ‌ପଣାଇବାକୁ ପଡ଼ିବ। ଏଥିସହିତ ମାଟି ମା’କୁ ବଞ୍ଚାଇବା ପାଇଁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। କାରଣ ମାଟି ବଞ୍ଚିଲେ ସଭ୍ୟତା ବଞ୍ଚିବ। ଏଥିପାଇଁ କୃଷକମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା ଉପରେ ବ୍ୟାପକ ତାଲିମ୍‌ ଦିଆଯିବ ଓ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯିବ। କୃଷି ନିର୍ଦେଶକ ଡ. ଏମ୍‌ ମୁଥୁକୁମାର ରାୟଗଡ଼ାର ଲେମ୍ବୁ ଚାଷକୁ ଉଦାହରଣ ଭାବେ ନେଇ ମୃତ୍ତିକା ସଂରକ୍ଷଣ ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ସେହିଭଳି ଲୋପ ପାଇଯାଉଥିବା ଜିଆ ବଂଶ ବୃଦ୍ଧି କରିବା ଓ ମୁଗ, ବିରି, ଚିନାବାଦାମ ଚାଷ ଦ୍ବାରା ମାଟିର ଉର୍ବରତା ବୃଦ୍ଧି ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ସେ ସୂଚନା ଦେଇଥିଲେ। ଓୟୁଏଟି ଡିନ୍ ପ୍ରଫେସର କେକେ ରାଉତ ଉପରସ୍ତରର ଏକ ଇଞ୍ଚ ମାଟିର ଗୁରୁତ୍ବ ଉପରେ ସୂଚନା ଦେବା ସହ ସେଥିରେ କାର୍ବନ ଯୌଗିକର ମାତ୍ରା ବୃଦ୍ଧି କଲେ, ମୃତ୍ତିକା କ୍ଷୟ ହ୍ରାସ ପାଇବ ବୋଲି କହିଥିଲେ।

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ଜାତୀୟ ସ୍ତରୀୟ କୃଷି ଗବେଷଣା ଅନୁଷ୍ଠାନ ନିର୍ଦେଶକ ଡ. ଶ୍ରୀନାଥ ଦୀକ୍ଷିତ ଓ ଉଦ୍ୟାନ କୃଷି ନିର୍ଦେଶକ ଡ. ବିଜୟ କୁମାର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୁରୀ ଓ ଖୋର୍ଧା ଜିଲ୍ଲାର ୨୦ ଜଣ କୃଷକଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ମାଟି ପରୀକ୍ଷା ପରେ ଦିଆଯାଉଥିବା ଏହି କାର୍ଡରେ ଚାଷୀମାନଙ୍କ ପାଇଁ ଚାଷ ଓ ମୃତ୍ତିକା ସଂରକ୍ଷଣ ସଂକ୍ରାନ୍ତୀୟ ସମସ୍ତ ସୂଚନା ରହିଛି।

Share This Article
Leave a Comment