ଜୋର ଧରିଲା ପିସିସି ସଭାପତି ରାଜନୀତି

Odisha Hot News
1 Min Read

ଭୁବନେଶ୍ୱର : ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ମହମ୍ମଦ ମୋକିମ୍‌ଙ୍କୁ ଦାୟିତ୍ୱ ଦିଆଯିବା ନେଇ ଆରମ୍ଭ ହୋଇଛି ରଣନୀତି। କଂଗ୍ରେସ ନେତା ବାପି ସର୍କେଲଙ୍କ ନେତୃତ୍ୱରେ ସ୍ଥାନୀୟ ପାନ୍ଥନିବାସ ପରିସରରେ ବୁଧବାର ବସିଥିବା ବୈଠକରେ ସଭାପତି ହଟାଅ ଅଭିଯାନ ତିବ୍ର ହୋଇଥିବା ନେଇ ସୂଚନା ମିଳିଛି।

ରାଜ୍ୟରେ ହୋଇଥିବା ୨ଟି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏପରିକି ଦଳ ବିରୋଧୀ ଦଳ ହେବାର ମାନ୍ୟତା ହରାଇଛି। ଏଥିଯୋଗୁ ପିସିସିରେ ନବକଳେବର ହେବା ଜରୁରୀ। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି ଦାୟିତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆସନ୍ତା ସପ୍ତାହରେ ଏକ ଟିମ୍‌ ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ମହମ୍ମଦ ମୋକିମ୍‌ ଏହି ସଭା ବିଷୟରେ କିଛି ଜାଣି ନ ଥିବା ସୂଚନା ମିଳିଛି।

ଦୀପାବଳି ପରେ ନିରଞ୍ଜନ ପିସିସି ପୁର୍ନଗଠନ କରିବେ ବୋଲି ଯୋଜନା କରିଥିଲେ। ହେଲେ ଏବେ ସେପରି ହେବା ଭଳି ମନେ ହେଉନାହିଁ। ଏହାକୁ ପଣ୍ଡ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନିରଞ୍ଜନ ଦଳକୁ ସଠିକ୍‌ ନେତୃତ୍ୱ ଦେଇପାରୁ ନ ଥିବା ନେତାମାନେ ଅଭିଯୋଗ କରିଛନ୍ତି।

Share This Article
Leave a Comment