ଭୁବନେଶ୍ୱର – ହକି ବିଶ୍ୱକପ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ଅପରାଧୀ ଦମନ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଚଢ଼ାଉ କରି ଡକାୟତି ଯୋଜନା କରୁଥିବା ଏକ ଆନ୍ତଃଜିଲା ଅପରାଧୀ ଗ୍ୟାଙ୍ଗ୍ର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଯାଜପୁର ଜିଲା ଟାଉନ ଥାନା ଅଞ୍ଚଳର ଶିବା ଦାସ ଓରଫ ଶିବା(୪୦), ଟୁନା ଦାସ ଓରଫ କୁନା(୨୩), ଲକ୍ଷ୍ମଣ ଦାସ ଓରଫ ଲକନ(୨୨) ଏବଂ ଗଞ୍ଜାମ ଜିଲା କୋଦଳା ଅଞ୍ଚଳର ପି. ରାଜା ଓରଫ ରାଜ(୧୯)।
ସୂଚନା ମୁତାବକ, ଭରତପୁର ଅଞ୍ଚଳରେ କେତେଜଣ ଅପରାଧୀ ଡକାୟତି ଯୋଜନା କରୁଥିବା ନେଇ ସ୍ପେଶାଲ ସ୍କ୍ବାଡ୍ ନିକଟରେ ଖବର ପହଞ୍ଚତ୍ଥିଲା। ତୁରନ୍ତ ଖଣ୍ଡଗିରି ପୋଲିସ ସହ ସ୍କ୍ବାଡ୍ ଘଟଣାସ୍ଥଳକୁ ଘେରିଯାଇ ଉପରୋକ୍ତ ୪ଜଣଙ୍କୁ ଗିରଫ କରିଥିଲା। ଏଥିସହ ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଗୁପ୍ତି, ୪୦ ହଜାର ଟଙ୍କା, ୨୫ଟି ମୋବାଇଲ ଫୋନ, ଡିକି, ଗ୍ରୀଲ କବାଟ ଭାଙ୍ଗିବା ଯନ୍ତ୍ର, ଗୋଟିଏ ବାଇକ ଓ ସ୍କୁଟି ଜବତ କରିଛି। ଏହି ଗ୍ୟାଙ୍ଗ୍ ଡକାୟତି, ଚୋରି ସହ ଜାତୀୟ ରାଜପଥରେ ଆକ୍ରମଣ କରି ଲୁଟ୍ କରିବା ଆଦି ଏକାଧିକ ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ପଚରାଉଚରା ପରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।