ଭୁବନେଶ୍ୱର : ଆଜି ମହାଷ୍ଟମୀ। ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ସେହିଭଳି ପୂଜା ବୁଲା ପାଇଁ ଛୋଟଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଉତ୍କଣ୍ଠାର ସହ ଯୋଜନା ରଖିଛନ୍ତି।
ଶନିବାର ମା’ଙ୍କ ମହାସପ୍ତମୀ ପୂଜା ସରିଛି। ନୀତିକାନ୍ତି ଅନୁଯାୟୀ ପ୍ରଥମେ କଳସଯାତ୍ରା କରାଯାଇଥିଲା। ସକାଳ ୯ଟା ପରେ ସମସ୍ତ ପୂଜାମଣ୍ଡପରେ ସୂର୍ଯ୍ୟପୂଜା ଏବଂ ମା’ଙ୍କ ନବପତ୍ରିକା ପ୍ରବେଶ ଅନୁଷ୍ଠିତ ହୋଇଥିଲା। ମା’ଙ୍କୁ ଚକ୍ଷୁଦାନ ଦିଆଯିବାପରେ ଅନୁଷ୍ଠିତ ହୋଇଥିଲା ଜୀବନ୍ୟାଶ ପ୍ରଦାନ ଏବଂ ପ୍ରାଣ ପ୍ରତିଷ୍ଠା ନୀତି। ଏହାପରେ ଷୋଡ଼ଷ ଉପଚାର ପୂଜା ଏବଂ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା। ସେହିପରି ମଧ୍ୟାହ୍ନ ନୀତି, ସନ୍ଧ୍ୟା ଆଳତି ଏବଂ ରାତ୍ରିପୂଜାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ସପ୍ତମୀ ନୀତି ଶେଷ ହୋଇ ମା’ଙ୍କ ମୁହଁ ଖୋଲା ଯାଇଥିବାରୁ ଦର୍ଶନ ପାଇଁ ସନ୍ଧ୍ୟାରେ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଷ୍ଟେଶନବଜାର, ଶହୀଦନଗର, ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା, ଝାରପଡ଼ା ଆଦି ପୂଜାମଣ୍ଡପରେ ଅଧିକ ଗହଳି ଦେଖାଦେଇଥିଲା। ବିଭିନ୍ନ ସ୍ଥାନରେ ମିନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି
ଆଜି ମହାଷ୍ଟମୀ ପୂଜା: ପୂଜାମଣ୍ଡପରେ ସ୍ବତନ୍ତ୍ର ଆୟୋଜନ

Leave a Comment
Leave a Comment