ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୩ୟ ମ୍ୟାଚକୁ ଆର୍ଜେଣ୍ଟିନା ଜିତିଛି। ‘ପୁଲ-ଏ’ରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ ବିପକ୍ଷରେ ବିଜୟୀ ହୋଇଛି। ଆର୍ଜେଣ୍ଟିନା ବିପକ୍ଷରେ ସ୍ପେନ ପ୍ରଥମ ଗୋଲ ଦେଇଥିବା ବେଳେ କିଛି ସମୟ ପରେ ଆର୍ଜେଣ୍ଟିନା ଏହାକୁ ସମାନ ସ୍ତରକୁ ଆଣିଥିଲା। ପ୍ରାୟ ୧୫ ହଜାର ଦର୍ଶକ ଉପସ୍ଥିତ ଥିବା କଳିଙ୍ଗ ହକି ଗ୍ରାଉଣ୍ଡରେ ସ୍ପେନ ତରଫରୁ ଜୋସେଫ ରୋମେୟୁ ଏକ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରିଥିଲେ। ଆର୍ଜେଣ୍ଟିନା ଏହାକୁ ପୁଣି ସମାନ ସ୍ତରକୁ ଆଣି ମ୍ୟାଚକୁ ୨-୨ରେ ପହଞ୍ଚାଇଥିଲା।
ଆଜିର ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଆୟୋଜିତ ମ୍ୟାଚରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ମ୍ୟାଚରେ ୨ଟି ଗୋଲ ଦେଇଥିବା ଆର୍ଜେଣ୍ଟିନାର ଅଗଷ୍ଟାଇନ୍ ମଜିଲିଙ୍କୁ ଅତିଥି ଶ୍ରୀ ପଟ୍ଟନାୟକ ‘ମ୍ୟାନ୍ ଅଫ ଦ ମ୍ୟାଚ’ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
