ଭୁବନେଶ୍ବର: ଲେଖା ପ୍ରତି ଛୋଟ ବେଳୁ ଅହେତୁକ ରୁଚି ଥିଲା। ଇଂରାଜୀରେ ଗଳ୍ପ ଲେଖି ଚାଲିଲେ। ଆଉ ତାଙ୍କର ଏମିତି ଲେଖିବାର ପ୍ରୟାସ ଆଜି ପୁସ୍ତକର ରୂପ ନେଇଛି। ତାଙ୍କ ଲେଖାରେ ସାଧାରଣ ଲୋକଙ୍କ ଭାବନାର ବାସ୍ନା ମହକି ଉଠିଥାଏ। ଲେଖିବାର ପ୍ରଚେଷ୍ଟା ଆଜି ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛି। ତାଙ୍କର ଦ୍ଵିତୀୟ ପୁସ୍ତକ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି। ସେହି ଲେଖିକାଙ୍କ ନାମ ହେଉଛି ରୁଚିକା ଦିବ୍ୟଦର୍ଶିନୀ। ରାଜ୍ୟପାଳଙ୍କ ହସ୍ତରେ ପୁସ୍ତକ ଉନ୍ମୋଚନ ହେବା ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି। ଉକ୍ତ ପୁସ୍ତକର ନାମ ହେଉଛି ‘A BODY OF RHAPSODY’।
ସୁଦୂର କୋରାପୁଟ ଜିଲ୍ଲାର ଏକ ଛୋଟ ସହର ସେମିଲିଗୁଡାର ବାସିନ୍ଦା ହେଉଛନ୍ତି ରୁଚିକା ଦିବ୍ୟଦର୍ଶିନୀ(୧୮)। ବାପାଙ୍କ ନାମ ହେଉଛି ବୃନ୍ଦାବନ ପଣ୍ଡା ଏବଂ ମାଆଙ୍କ ନାମ ରେଣୁବାଳା ହୋତା। ବାପା-ମାଆ ମଧ୍ୟ ରୁଚିକାଙ୍କୁ ଲେଖା ପ୍ରତି ଉତ୍ସାହିତ କରି ଆସିଛନ୍ତି। ନିଜ ଝିଅର ଏହି ସଫଳତାରେ ବେଶ ଆନ୍ଦ ପ୍ରକାଶ କରିଛନ୍ତି ବାପା ବୃନ୍ଦାବନ ଏବଂ ମାଅ ରେଣୁବାଳା।
‘A BODY OF RHAPSODY’ ପୁସ୍ତକଟି ୨୦୫ କବିତାର ସଂକଳନରେ ପ୍ରସ୍ତୁତ ହୋଇଛି। ରୁଚିକା ପୁସ୍ତକ ମାଧ୍ୟମରେ ସାଧାରଣ ଲୋକଙ୍କ ଭାବାବେଗକୁ ପ୍ରକାଶ କରିଛନ୍ତି। ପ୍ରକୃତି ଏବଂ ମଣିଷଙ୍କ ମଧ୍ୟରେ ସଂପର୍କର ପରିଭାଷାକୁ ସେ ଏହି ପୁସ୍ତକ ମାଧ୍ୟରେ ଜଣାଇବାକୁ ଚେଷ୍ଟା କରିଛନ୍ତି ରୁଚିକା। ସେ ଚାହୁଁଥିଲେ ତାଙ୍କ ପୁସ୍ତକ ଏମିତି ଜଣେ ବ୍ୟକ୍ତି ହାତରେ ଉନ୍ମୋଚନ ହେଉ ଯାହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଆଉ ତାଙ୍କର ଏହି ସ୍ଵପ୍ନ ବା ଇଚ୍ଛା ଆଜି ପୂରଣ ହୋଇଛି। ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ନିଜ ହାତରେ ତାଙ୍କ ପୁସ୍ତକ ‘A BODY OF RHAPSODY’ର ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ରୁଚିକା କହିଛନ୍ତି ଯେ, ରାଜ୍ୟପାଳଙ୍କ ହାତରେ ପୁସ୍ତକ ଉନ୍ମୋଚନ ହେବା ଏବଂ ତାଙ୍କୁ ଭେଟିବାର ସୁଯୋଗ ପାଇବା ମୋ ପାଇଁ ସୌଭାଗ୍ୟର କଥା। ତାଙ୍କ ଆଶୀର୍ବାଦ ପାଇ ବହୁତ ଆନନ୍ଦିତ ଲାଗୁଛି। ଏହି ଅବସରରେ ତାଙ୍କ ମାମୁ ଏବଂ ମାଇଁ ଉପସ୍ଥିତ ଥିଲେ। ଏହା ପୂର୍ବରୁ ୨୦୨୧ରେ ରୁଚିକା The Epicentric Lyric ନାମକ ପୁସ୍ତକ ରଚନା କରିଥିଲେ। ପୁସ୍ତକରେ ୨୦୦ଟି କବିତା ରହିଛି। ଏହା ୨୦୨୧ରେ ନୂଆଦିଲ୍ଲୀ ନମ୍ୟା ପ୍ରେସ୍ ଦ୍ଵାରା ପ୍ରକାଶିତ ହୋଇଥିଲା। ରୁଚିକା ସଂପ୍ରତି ଭୁବନେଶ୍ଵରରେ ଡାକ୍ତରୀ ପାଠ୍ୟକ୍ରମ(ନିଟ୍) ପାଇଁ ପ୍ରସ୍ତୁତି କରୁଛନ୍ତି। ହେଲେ ଲେଖା ତାଙ୍କର ଅଗ୍ରାଧିକାରରେ ରହିବ ବୋଲି ରୁଚିକା କହିଛନ୍ତି।
ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା କୋରାପୁଟ ଝିଅ ରୁଚିକାଙ୍କ ପୁସ୍ତକ ଉନ୍ମୋଚନ

Comment