କାଗଜପତ୍ରରେ ଚାଲିଛି ଟ୍ରମା ସେଣ୍ଟର – Fast News Network

Odisha Hot News
2 Min Read

ଭଦ୍ରକ: ପାରିପାଶ୍ୱର୍ିକ ସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରାୟ ୧୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଆଘାତ ଜନିତ ଚିକିତ୍ସା କେନ୍ଦ୍ର (ଟ୍ରମା ସେଣ୍ଟର) । ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ । ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଏହାକୁ ନେଇ ଜିଲାବାସୀ ବେଶ୍ ଉତ୍‌ଫୁଲ୍ଲିତ ଥିଲେ । କିନ୍ତୁ ଉକ୍ତ ଆଘାତ ଜନିତ ଆପଦ ଚିକିତ୍ସା କେନ୍ଦ୍ର ଆରମ୍ଭ ହେବାକୁ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ଚାଲିଛି । କାରଣ ଏଥିନିମିତ୍ତ ଉପଯୁକ୍ତ ଭିତ୍ତିଭୂମି ନାହିଁ । ଉକ୍ତ କେନ୍ଦ୍ରରେ ଏବେ ଉଭୟ ଶଲ୍ୟ ଓ ଅସ୍ଥିଶଲ୍ୟ ବିଭାଗ କାମ କରୁଛି । ପୂର୍ବରୁ ଲାଗିଥିବା ଟ୍ରମା ସେଣ୍ଟର ସାଇନବୋର୍ଡ ବହୁବର୍ଷ ହେଲା ହଜିଗଲାଣି । ଏହି କେନ୍ଦ୍ର ପାଇଁ ଆବଶ୍ୟକ ଡାକ୍ତର ଅତ୍ୟାଧୁନିକ ଯନ୍ତ୍ରାଂଶ, ଶଯ୍ୟା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ । ଉକ୍ତ କେନ୍ଦ୍ର ପାଇଁ ଆସିଥିବା ବହୁ ସାମଗ୍ରୀ ଖତ ଖାଇ ନଷ୍ଟ ହୋଇସାରିଛି ।
ଆମ ରାଜ୍ୟ ମଧ୍ୟ ଦେଇ ୫ ନଂ ଜାତୀୟ ରାଜପଥ ଯାଇଥିବାରୁ ଏହା ସବୁ ସମୟରେ ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ପରିଚିତ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସୁପାରିଶରେ କଟକ ଠାରେ ଲେବୁଲ-୧ ଗୋଟିଏ, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ଲେବୁଲ-୨ ଓ ଭଦ୍ରକ, ଖୋର୍ଦ୍ଧା ଠାରେ ଲେବୁଲ-୩ ର ଗୋଟିଏ କରି ଏହିପରି ମୋଟ ୫ଟି ଟ୍ରମା ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଥିଲେ ୨୦୦୮ ମସିହାରେ । ଭଦ୍ରକରେ ଏହି ସେଣ୍ଟର ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଆସୁଥିବା ଗୁରୁତର ରୋଗୀଙ୍କୁ ଏଠାରେ ଆଶୁ ଚିକିତ୍ସା ଯୋଗାଯାଇପାରୁନାହିଁ । ଏବଂ ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ କଯକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଉଥିବା ଦେଖିବାକୁ ମିଳିଛି । ଗୋଟିଏ ଲେବୁଲ-୩ ଟ୍ରମା ସେଣ୍ଟର ପାଇଁ ଅନ୍ୟୁନ ନିଶ୍ଚେତକ, ଶଲ୍ୟ, ଅସ୍ଥିଶଲ୍ୟ, ସ୍ନାୟୁ ଶଲ୍ୟ, ଭେଷଜ, ଶିଶୁରୋଗ ବିଭାଗର ବିଶେଷଜ୍ଞଙ୍କ ସମେତ ୨୦ ରୁ ଅଧିକ ଆଟେଣ୍ଡାଣ୍ଟଙ୍କ ନିଯୁକ୍ତିର ଆବଶ୍ୟକତା ରହିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ଡାକ୍ତରଙ୍କ ଅଭାବ ଅନୁଭୂତ ହେଉଛି ଓ ରୋଗୀ ଉଚିତ୍ ସ୍ୱାସ୍ଥ୍ୟସେବା ପାଇପାରୁନାହାଁନ୍ତି । ସେତେବେଳେ ଟ୍ରମା ସେଣ୍ଟର ଏକ ଭେଳିକି ବୋଲି ଜିଲାବାସୀଙ୍କ ମତ । ସରକାରଙ୍କ କାଳକ୍ଷେପଣ ନୀତି, ଜିଲା ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଓ ସର୍ବୋପରି ଜିଲାର ନିର୍ବାଚିତ ଲୋକପ୍ରତିନିଧିଙ୍କ ଇଚ୍ଛାଶକ୍ତି କିମ୍ବା ଆନ୍ତରିକତାର ଅଭାବ ପାଇଁ ଏହା କାର୍ଯ୍ୟକ୍ଷମ ହେବା ତ ଦୂରର କଥା ଏହା ଏବେ ଇତିହାସ ହୋଇ ରହିଯାଇଛି ।

Share This Article