ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କରାଯାଇଥିବା ପୂର୍ବ ଆକଳନରେ ପରିବର୍ତ୍ତନ ଘଟିଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ମହାପାତ୍ର କହିଛନ୍ତି ଯେ ଆଜି ବିଳମ୍ବିତ ରାତ୍ରି କିମ୍ବା କାଲି ପ୍ରତ୍ୟୁଷରୁ ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଖାଲି ସାମୁଦ୍ରିକ ବାତ୍ୟା ରୂପରେ ଉତ୍ତର ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ଦେଇ ଅତିକ୍ରମ କରିବ। ଏବେଠାରୁ ଦୁର୍ବଳ ହେବାକୁ ଆରମ୍ଭ କରିଥିବା ‘ଅସାନି’ କାକିନାଡ଼ା ଓ ବିଶାଖାପାଟଣା ଉପକୂଳ ଅତିକ୍ରମ କଲାବେଳକୁ ‘ଅସାନି’ର ଅଧାଭାଗ ସ୍ଥଳଭାଗରେ ରହିଥିବା ବେଳେ ବାକି ଅର୍ଦ୍ଧେକ ସମୁଦ୍ର ମଧ୍ୟରେ ରହିଥିବ। ଏହିପରି ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଗୋପାଳପୁର ଆଡ଼କୁ ଓଡ଼ିଶା ମୁହାଁ ହେବ। କିନ୍ତୁ ସେତେବେଳକୁ ଏହା ଆଉ ସାମୁଦ୍ରିକ ବାତ୍ୟା ନହୋଇ ଏକ ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇ ସାରିଥିବ।
ଏ ଅବସ୍ଥାରେ ଓଡ଼ିଶାର ସ୍ଥଳ ଭାଗରେ ଆଉ କୌଣସି ବିଶେଷ ପ୍ରଭାବ ପକାଇବାରେ ସମର୍ଥ ହେବନି ‘ଅସାନି’। ପୂର୍ବରୁ ଓଡ଼ିଶା ଉପକୂଳରେ ଯେଉଁ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଥିଲା ସେପରି ବେଗରେ ମଧ୍ୟ ପବନ ବହିବ ନାହିଁ। ଏହାର ପ୍ରଭାବରେ କେବଳ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ସମୁଦ୍ର ଅଶାନ୍ତ କହିବ। ତେଣୁ, ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମସ୍ତ୍ୟଜୀବୀମାନଙ୍କୁ ବାରଣ କରିଛନ୍ତି ଶ୍ରୀ ମହାପାତ୍ର। ଏହି ପରିପ୍ରେକ୍ଷୀରେ ସାମୁଦ୍ରିକ ବାତ୍ୟା ‘ଅସାନି’ର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୩ ତାରଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଅନୁଭୂତ ହେବ। ଏପରିକି ଏହି ସମୟ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ୧୦ ଓ ୧୧ ତାରିଖରେ ରାଜ୍ୟର ମାଲକାନାଗିରି, କୋରାପୁଟ, ଗଜପତି, ଗଂଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୧ ଓ ୧୨ ତାରିଖରେ ରାଜ୍ୟର ଗଜପତି, ଗଂଜାମ, ପୁରୀ ଏବଂ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଏହି ସମୟ ମଧ୍ୟରେ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ୧୨ ଓ ୧୩ ତାରଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସାମୁଦ୍ରିକ ବାତ୍ୟା ‘ଅସାନି’ ପ୍ରଭାବରେ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ସାମୁଦ୍ରିକ ବାତ୍ୟା ‘ଅସାନି’ ପ୍ରଭାବରେ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ଥିବା ବେଳେ ଝଟକା ପବନର ବେଗ ୧୨୦ କିଲୋମିଟର ପ୍ରତି ଘଣ୍ଟା ହେଉଛି। ଏହା ଧୀରେ ଧୀରେ ଘଣ୍ଟାପ୍ରତି ୮୦-୯୦ କିଲୋମିଟରକୁ ହ୍ରାସ ପାଇବ। ଆଜି ମଧ୍ୟରାତ୍ରିରୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିବା ଏବଂ ସମାନ ଅଞ୍ଚଳରେ ମେ ୧୧ ତାରିଖ ସନ୍ଧ୍ୟାରୁ ଘଣ୍ଟା ପ୍ରତି ୬୫-୭୫ କିଲୋମିଟର ବେଗରେ ପବନ ବହିବ। ମେ ୧୨ ତାରିଖ ସକାଳୁ ଉତ୍ତର-ପଶ୍ଚିମ ଏବଂ ଏହାର ଆଖପାଖ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୫-୬୫ କିଲୋମିଟରକୁ ହ୍ରାସ ପାଇବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ମଧ୍ୟରାତ୍ରି, ୧୦ ମେ ରୁ ୧୩ ମେ ପର୍ଯ୍ୟନ୍ତ ସମୁଦ୍ର ଅବସ୍ଥା ବହୁତ ଅଧିକ ଅଶାନ୍ତ ହେବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ଉଚ୍ଚ ଢ଼େଉ ଉଠିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ମେ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଓଡ଼ିଶାରେ ପ୍ରଭାବ ପକାଇବନି ବାତ୍ୟା – Fast News Network

Comment