ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ଅପହରଣ ହତ୍ୟା ମାମଲାର ଗିରଫ ହୋଇ ଭଦ୍ରକ ଜେଲରେ ବନ୍ଦୀ ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ୍ ଆବେଦନକୁ ଭଦ୍ରକ ଜିଲା ଜଜ୍ ଖାରଜ କରି ଦେଇଛନ୍ତି । କ୍ୟାମେରାମେନ୍ ମାନସ ସ୍ୱାଇଁ ଗତ ଫେବୃୟାରୀ ମାସ ଭଦ୍ରକ ଜିଲାର ପଳାସପୁର ଗ୍ରାମର ଏକ ବାହାଘର ଉତ୍ସବରେ କ୍ୟାମେରାମେନ୍ ଭାବେ କାମ କରିବାକୁ ଭୁବନେଶ୍ୱରରୁ ଆସିଥିଲା । ୭ ତାରିଖରେ ସୁଟିଂ ସାରି ଭୁବନେଶ୍ୱର ଫେରିବା ପାଇଁ ନାଲଗୁଣ୍ଡା ଛକରେ ଅପେକ୍ଷା କରିଥିବା ବେଳେ ପଳାସପୁର ଗ୍ରାମର ସାମ୍ବାଦିକ ଶରତ ପଣ୍ଡା, ଅର୍ଗସ ନ୍ୟୁଜ୍ ଚେନାଲର ସାମ୍ବାଦିକ ଭାଗୀରଥି ସେଠୀଙ୍କ ସହଯୋଗରେ ସମ୍ପର୍ଣ୍ଣା ନ୍ୟୁଜ୍ର ମାଲିକ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଦୀପକ ଓ ଅନ୍ୟମାନେ ସେଠାରୁ ଅପହରଣ କରି ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମକୁ ନେଇଯାଇଥିଲେ । ମାନସକୁ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ଚିପ୍ ଫେରାଇବା ପାଇଁ କହିଥିଲେ । ମାତ୍ର ସେ ନଦେବାରୁ ତାକୁ ମାଡ ମାରିଥିଲେ ଓ ମାନସଙ୍କର ମୃତ୍ୟୁ ହୋଇଯାଇଥିଲା ।
ମାନସଙ୍କ ମୃତଦେହକୁ ନୟାଗଡ ଜିଲା ରାଜସୁନାଖଳା ପୁଲିସ୍ ଫାଣ୍ଡି ଅଧୀନସ୍ଥ ବଧିପାଟଣା ଗ୍ରାମର ଏକ ନିଛାଟିଆ ସ୍ଥାନରେ ଚାଷ ଜମିରେ ପୋତି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ପ୍ରାଥମିକ ଭାବେ ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଥିଲା ସୂଚନା ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଏ ସବୁ କାମରେ ସହାୟତା କରିଥିଲେ । ତେଣୁ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଗିରଫ କରିଥିଲା । ତା ପରେ ସେହି ମାସ ୨୩ ତାରିଖରେ ଉକ୍ତ ସ୍ପର୍ଶକାତର ମାମଲାଟିକୁ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଶର୍ମିଷ୍ଠାହ ଓ ତାର ସହଯୋଗୀ ଝୁନା ଭୋଇ ସମେତ ମୋଟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତେ ଜେଲ୍ ଭିତରେ ଅଟକ ଥିବାବେଳେ ସାକ୍ଷୀମାନଙ୍କ ଦ୍ୱାରା ଟିଆଇ ପେରେଡ୍ ବା ଚିହ୍ନଟ କରାଯାଇଥିଲା । ଶ୍ରୀ ସେଠୀଙ୍କ ଜାମିନ୍ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଖାରଜ କରିବା ପରେ ସେ ଭଦ୍ରକ ଜିଲା ଜଜ୍ଙ୍କ କୋର୍ଟରେ ଆବେଦନ କରିଥିଲେ । ସେଠୀଙ୍କ ଓକିଲ ରମଣିକାନ୍ତ ପଟ୍ଟନାୟକ ପ୍ରାଥମିକ ଭାବେ ଦିଆଯାଇଥିବା ଏତଲାରେ ତାଙ୍କ ନାମ ନଥିବାରୁ ସେ ନିର୍ଦ୍ଦୋଷ ଥିବାରୁ ତାଙ୍କୁ ଜାମିନ୍ରେ ଛାଡିବାକୁ ନିବେଦନ କରିଥିଲେ ବି ଏହି ଚାଞ୍ଚଲ୍ୟକର ମାମଲାଟିକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଚାଲୁ ରହିଥିବାରୁ ମାନ୍ୟବର ଜିଲା ଜଜ୍ ତାଙ୍କ ଜାମିନ୍ ଦରଖାସ୍ତକୁ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ଆଜି ପରମେଶ୍ୱର ନାୟକ, ଭାଗ୍ୟବାନ ସାହୁ, ନିଲୁ ଓରଫ ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ୍ ଆବେଦନ ଜିଲା ଜଜ୍ଙ୍କ ଅଦାଲତରେ ଶୁଣାଣି ପାଇଁ ଥିଲେ ବି କ୍ରାଇମବ୍ରାଞ୍ଚ ସିଡି ନଦେବାରୁ ପରବର୍ତ୍ତୀ ଶୁଣାଣି ଅନ୍ୟ ଦିନକୁ ଘୁଞ୍ଚାଇ ଦେଇଛନ୍ତି ।
ନିରଞ୍ଜନଙ୍କ ଜାମିନ୍ ଆବେଦନ ଖାରଜ – Fast News Network

Comment