ବିଦ୍ୟୁତ ଯୋଗାଣ ବନ୍ଦ ନ କରିବାକୁ ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଜି ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଆଜି ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ କରାଯାଉ। ଖରା ବଢୁଥିବାବେଳେ ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବିଛିନ୍ନ ବିଦ୍ୟୁତ ଯୋଗାଣ ହେଉ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ବିଦ୍ୟୁତ ଚାହିଦା ବଢିଛି। ପ୍ରବଳ ଖରା ଯୋଗୁଁ ବିଦ୍ୟୁତ ବ୍ୟବହାର ଚାହିଦା ୧୦ ପ୍ରତିଶତ ବଢିଛି। ବିଦ୍ୟୁତ ଯୋଗାଣ ନେଇ ଯାହା ସମସ୍ୟା ରହିଛି ତାହା ସାମୟିକ। ତେଣୁ ଦିନବେଳେ ବିଦ୍ୟୁତ ଯୋଗାଣରେ ଯେଭଳି କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଥାଉ କି ଦିନକୁ ଦିନ ତାତି ବଢୁଥିବାବେଳେ ଗ୍ରାମାଞ୍ଚଳରେ ପାୱାରକଟ ସମସ୍ୟା ଦେଖିବାକୁ ମିଳିଛି। ରାଜ୍ୟରେ ଯେତେବେଳେ ଲୋକେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଆଉଟୁପାଉଟୁ ହେଉଛନ୍ତି, ସେତେବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍ ଚାଲିଛି।
ପ୍ରତିଦିନ ବିଜୁଳି କାଟ୍ ହେଉଛି, ରାତିରେ ପରିସ୍ଥିତି ଆହୁରି ଖରାପ। ଖରାଦିନ କାରଣରୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଥିବାବେଳେ ଜଳ ଅଭାବରୁ ୩୦୦ ମେଗାୱାଟ କମ୍ ବିଦ୍ୟୁତ ଉତ୍ପାଦନ ହେଉଛି। ସେଥିପାଇଁ ରାଜ୍ୟର କେତେକ ଅଞ୍ଚଳରେ ଦିନକୁ ଅସ୍ଥାୟୀ ଭା‌ବେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ଆରମ୍ଭ ହେଉଛି ବୋଲି ଟିପିସିଓଡିଏଲ୍‌ ପକ୍ଷରୁ କୁହାଯାଇଥିଲା। ଆଉ ଏହାକୁ ନେଇ ଆଜି ରାଜ୍ୟ ସରକାର ସମୀକ୍ଷା କରିଛନ୍ତି।

Share This Article