ଭଦ୍ରକ ପୁଲିସ୍‌କୁ ବଡ ସଫଳତା, ଛିନ୍‌ତାଇ ଘଟଣାରେ ୪ ଗିରଫ – Fast News Network

Odisha Hot News
3 Min Read

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନରେ ଏକ ସୁନାଚେନ୍ ଛିନ୍‌ତାଇ ଘଟଣାରେ ଗ୍ରାମାଞ୍ଚଳ ପୁଲିସ୍ ୩ ଜଣ ଲୁଟେରା ଓ ଜଣେ ରିସିଭରଙ୍କୁ ଗିରଫ କରିଛି । ଏବଂ ସେମାନଙ୍କ ନିକଟରୁ ଓଡି-୦୨ବିସି-୨୭୨୯ ନମ୍ବରର ଏକ ହୋଣ୍ଡାଇ କାର୍‌, ଏକ ହୋଣ୍ଡା ୟୁନକର୍ନ ବାଇକ୍ ଓ ହୋଣ୍ଡା ଗ୍ରାଜିଆ ସ୍କୁଟି, ୫୫ ଗ୍ରାମର ୫ଟି ସୁନାଚେନ୍ , ୨୦ ହଜାର ୩ ଶହ ଟଙ୍କା ସହ ମୋବାଇଲ୍‌, ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ଆଇଡି କାର୍ଡକୁ ଜବତ କରିଛି ବୋଲି ଆଜି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସ୍‌ଡିପିଓ ପ୍ରଭାସ ରଂଜନ ପାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ପାଲଙ୍କ ସୂଚନା ଅନୁସାରେ ଗତ ୧୯ ତାରିଖ ରାତି ୮.୩୦ ରେ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନସ୍ଥ ତେନ୍ତୁଳିଗଡିଆ ଗ୍ରାମନିବାସୀ ତପନ କୁମାର ମହାପାତ୍ରଙ୍କ ପତ୍ନୀ ପୁଷ୍ପାଞ୍ଜଳି ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସାମରାଇପୁର ଧରିତ୍ରୀନଗରରେ ରହିଆସୁଛନ୍ତି । ତାଙ୍କ ସୂଚନା ମୂଳେ ଉକ୍ତଦିନ ସକାଳ ୬ଟାରେ ସେ ଏସ୍‌ବିଡି ସ୍କୁଲରୁ ନିଜ ଝିଅକୁ ଛାଡି ଫେରିବା ରାସ୍ତାରେ ଘର ନିକଟରୁ ଦୁଇଜଣ ଅଜଣା ଯୁବକ ଏକ ସ୍କୁଟିରେ ଆସି ସେ ପିନ୍ଧିଥିବା ସୁନାହାରଟିକୁ ଛିଣ୍ଡାଇ ଫେରାର ହୋଇଯାଇଥିଲେ ।
ଏହି ଲୁଟ୍ ସମୟରେ ପୁଷ୍ପାଞ୍ଜଳି ତଳେ ପଡି ଆହତ ହୋଇଥିଲେ । ସେହିଭଳି ଗତ ୨୨ ତାରିଖ ସନ୍ଧ୍ୟାରେ ଅନୁରୂପ ଦୁଇଜଣ ଯୁବକ ସ୍କୁଟିରେ ଆସି ଆରଡି ଛକରୁ ଲୁଟ୍ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡି ମାଡ ଖାଇଥିଲେ । ପରେ ପୁଲିସ୍ ସେମାନଙ୍କୁ ଆଣି ପଚରା ଉଚୁରା କରିବା ପରେ ଜଣଙ୍କ ନାମ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନସ୍ଥ ଚକମହାସମପୁର (ମହତିପୁର) ନିବାସୀ ରମାକାନ୍ତ ନାୟକଙ୍କ ପୁତ୍ର ଅନ୍ତର୍ଯ୍ୟାମୀ ନାୟକ ଓରଫ ବାପୁନ (୨୫) ଏବଂ ଅନ୍ୟଜଣେ ଖଇରା ଥାନା ଅଧୀନସ୍ଥ ବଟେଶ୍ୱର ଗ୍ରାମନିବାସୀ ଭାବଗ୍ରାହୀ ଦାସଙ୍କ ପୁତ୍ର ସିତୁ ଓରଫ ଦେବାଶିଷ ଦାସ (୩୩) ବୋଲି ସ୍ୱୀକାର କରିଥିଲେ । ଏବଂ ଏହି ଦୁଇଜଣ ୧୯ ତାରିଖ ଲୁଟ୍ ଘଟଣାରେ ସଂପୃକ୍ତ ବୋଲି ଜଣାପଡିଥିଲା । ଏପରିକି ଏହିପରି ବହୁ ଲୁଟ୍ ଓ ଛିନ୍‌ତାଇ ଘଟଣାରେ କେବଳ ଭଦ୍ରକ ଜିଲା ନୁହେଁ ମୟୂରଭଂଜ, ବାଲେଶ୍ୱର ଜିଲାରେ ମଧ୍ୟ ଘଟାଇ ଆସୁଥିବାର କହିଥିଲେ । ପୁଲିସ୍ ଏହି ଘଟଣାରେ ଅନୁସନ୍ଧାନ କରି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ତୃପ୍ତି ପ୍ଲାଜା ହୋଟେଲ ପଛପଟେ ସେମାନେ ରହୁଥିବା ଭଡାଘରୁ ୫୫ ଗ୍ରାମର ସୁନା ଅଳଙ୍କାର, ବହୁ ମାରଣାସ୍ତ୍ର, ମୋବାଇଲ୍‌, କାର୍‌, ବାଇକ୍ ଜବତ କରିଛି ।
ଏହି ଘଟଣାରେ ଖଇରା ଥାନା ଅଧୀନସ୍ଥ ଖନ୍ତାପଡା ଶାସନ ନିବାସୀ ଉଦ୍ଧବ ପଣ୍ଡାଙ୍କ ପୁତ୍ର ହରେକୃଷ୍ଣ ପଣ୍ଡା (୩୪) ନାମକ ଜଣେ ବ୍ୟକ୍ତି ମଧ୍ୟ ସେହି ଭଡାଘରୁ ଗିରଫ ହୋଇଛି । ସେ ମଧ୍ୟ ସେମାନଙ୍କ ଠାରୁ କିଛି ସୁନା ଅଳଙ୍କାର ବାଲେଶ୍ୱର ଜିଲା ଖଇରାରେ ଥିବା ଏକ ଗହଣା ଦୋକାନୀରେ ଦେଇଥିବାବେଳେ ପୁଲିସ୍ ଚଢାଉ କରି ଜବତ କରିଛି । ସଂପୃକ୍ତ ଗହଣା ଦୋକାନୀ ଖଇରା ଥାନା ଅଧୀନସ୍ଥ ଜିଆଣିପଡା ଗ୍ରାମନିବାସୀ ନିରଞ୍ଜନ ନନ୍ଦିଙ୍କ ପୁତ୍ର ବିକାଶ ଓରଫ ଆଦିତ୍ୟ ନନ୍ଦି (୩୭) ନିକଟରୁ ଚଢାଉ ସମୟରେ ପୁଲିସ୍ ଦୁଇଟି ସୁନାହାର ଜବତ କରିଥିବାର ଜଣାପଡିଛି । ଏମାନେ କେବଳ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନରେ ୩ଟି ଓ ଟାଉନ୍ ଥାନା ଅଧୀନରେ ୨ଟି ଘଟଣା ଘଟାଇଥିବା ବିଷୟ ଏସ୍‌ଡିପିଓ ଶ୍ରୀ ପାଲ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।

Share This Article