ବେଦାନ୍ତ ଫେକରରେ ପତିଆରାର ଲଢେଇ – Fast News Network

Odisha Hot News
4 Min Read

ଭଦ୍ରକ: ଶିଳ୍ପ ବିହୀନ ଭଦ୍ରକ ଜିଲାରେ ଫେକର କ୍ରୋମ ପ୍ଲାଣ୍ଟ ପ୍ରଥମ ଶିଳ୍ପ ସଂସ୍ଥା । ପ୍ରାୟ ୧ ଶହ ଏକର ଜମିରେ ୪୧ ବର୍ଷ ପୂର୍ବେ ଏହା ପ୍ରତିଷ୍ଠା ହୋଇଥିଲା । ଏହି ଶଳ୍ପସଂସ୍ଥାକୁ ବେଦାନ୍ତ କଂପାନୀ ଇତିମଧ୍ୟରେ ଅଧିଗ୍ରହଣ କରିସାରିଛି । ବେଦାନ୍ତ ଉକ୍ତ କଂପାନୀର ପରିଚାଳନା ଭାରତ ନେବାପରେ କ୍ରମେ ଅଶାନ୍ତ ହେବାରେ ଲାଗିଛି ରାନ୍ଦିଆ ଅଂଚଳ । ଯାହାର ଝଲକ ଗତ ଶନିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଚାରି ଦଶନ୍ଧି ପୂର୍ବେ ପ୍ରତିଷ୍ଠିତ ଏହି କଂପାନୀ ନିଜର ବିଦ୍ୟୁତ୍ ଚାହିଦା ମେଣ୍ଟାଇବାକୁ ୨୦୦୫ ମସିହାରେ ୧ ଶହ ମେଗାୱାଟ ବିଶିଷ୍ଟ ପାୱାର ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା କରିଥିଲା । ଏହି ଦୁଇ ପ୍ଲାଣ୍ଟକୁ ନେଇ ଭଦ୍ରକବାସୀ ଉତ୍ସାହିତ ଥିଲେ । କର୍ମ ନିଯୁକ୍ତି ସହିତ ସଂପୃକ୍ତ ଅଂଚଳର ବିକାଶରେ ଏହା ସହାୟକ ହେବ ବୋଲି ସ୍ଥାନୀୟ ଅଧିବାସୀ ଚିନ୍ତା କରିଥିଲେ । କିନ୍ତୁ ସେମିତି କିଛି ହେଲା ନାହିଁ । ନିଯୁକ୍ତି ଦୂରର କଥା; ଏଯାବତ୍ ଭଦ୍ରକବାସୀଙ୍କ ସ୍ୱାର୍ଥ, ଆଞ୍ଚଳିକ ବିକାଶ କିମ୍ବା ପାରିପାଶ୍ୱର୍ିକ ଉନ୍ନତି ପ୍ରତି ଆଦୌ ଧ୍ୟାନ ଦେଇନଥିଲା ଉକ୍ତ ସଂସ୍ଥା । ତେବେ ଉକ୍ତ ଶିଳ୍ପ ସଂସ୍ଥା ସ୍ଥାପନ ହେବାର ୪୦ ବର୍ଷ ପରେ ଏହାର ମାଲିକାନା ବଦଳି ବେଦାନ୍ତ ହାତକୁ ଯାଇଛି । ମାଲିକାନା ବଦଳିବା ପରେ ମଧ୍ୟ ଉକ୍ତ ସଂସ୍ଥା ଜିଲାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବ୍ୟର୍ଥ ହୋଇଛି । ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି କଥା ଚିନ୍ତା କରିବା ପରିବର୍ତ୍ତେ କେତେକ ରାଜନୈତିକ ନେତା ଏହି ଶିଳ୍ପ ସଂସ୍ଥାରୁ ନିର୍ଗତ ପାଉଁଶକୁ ନେଇ ବ୍ୟବସାୟ ଚଳାଇବାକୁ ଅଧିକ ଉଚିତ୍ ମନେ କରୁଛନ୍ତି । ସେହିପରି ବେଦାନ୍ତକୁ ପରିଚାଳନା ଭାର ଯିବା ପରେ ଉକ୍ତ ସଂସ୍ଥାର ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯାଉଛି । ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ବହୁ ପ୍ରକଳ୍ପର କାର୍ଯ୍ୟ କଂପାନୀ ପରିସରରେ ଚାଲିଛି । ହେଲେ କେତେକ ରାଜନେତାଙ୍କ ସୁପାରିଶରେ ଉକ୍ତ କାର୍ଯ୍ୟ କରୁଥିବା ଠିକାଦାରମାନେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ବାହାରୁ ଶ୍ରମିକ ଆଣି କାର୍ଯ୍ୟ ଚଳାଇଛନ୍ତି ।
ଯାହାକି ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହ ପରିସ୍ଥିତି ବିସ୍ଫୋରକ ରୂପ ନେବାରେ ଲାଗିଛି । ଏହିପରି ବିଭିନ୍ନ ସମସ୍ୟା ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାଳରେ ସ୍ଥାନୀୟ ଅଂଚଳରେ ଏକ ପ୍ରମୁଖ ମୁଦ୍ଦା ପାଲଟିଥିଲା । ପରିଣାମ ସ୍ୱରୂପ ରାନ୍ଦିଆ ଅଂଚଳରେ ଏକ ନୂତନ ରାଜନୈତିକ ସମୀକରଣ ଦେଖିବାକୁ ମିଳିଥିଲା । ତଥ୍ୟ ଅନୁଯାୟୀ ଫେକର ପାଇଁ ପୂର୍ବରୁ ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ଯୋଗାଇ େଇଥିଲା ଜିଲା ପ୍ରଶାସନ । କଞ୍ଚାମାଲ ଆମଦାନୀ ପାଇଁ ଗମନାଗମନର ସୁବିଧା ଠାରୁ ଆରମ୍ଭ କରି ପାୱାର ପ୍ଲାଣ୍ଟ ପାଇଁ ଆବଶ୍ୟକ ସାଳନ୍ଦୀ ନଦୀର ପାଣିର ବ୍ୟବସ୍ଥା ମଧ୍ୟ କରିଥିଲା । ବ୍ୟବସାୟିକ ସ୍ୱାର୍ଥ ହାସଲ କରିଥିଲେ ମଧ୍ୟ ଉକ୍ତ କଂପାନୀ ଗୋଟିଏ ପଟେ ସ୍ଥାନୀୟ ରାଜନେତାଙ୍କୁ ଖୁସି କରିବାକୁ ସକ୍ଷମ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ଦବାଇ ଦେବାରେ ସଫଳ ହୋଇଥିଲା । କଂପାନୀର ମାଲିକାନା ବଦଳି ବେଦାନ୍ତ ହାତକୁ ଯିବା ପରେ ମଧ୍ୟ ଅନୁରୂପ ଅବସ୍ଥା । ବରଂ ଇତିମଧ୍ୟରେ କଂପାନୀ ମାମଲାରେ ରାଜନୈତିକ ହସ୍ତକ୍ଷେପ ବଢିବାରେ ଲାଗିଛି । କେତେକ ରାଜନୈତିକ ନେତୃମଣ୍ଡଳୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନିଯୁକ୍ତି, ପାରିପାଶ୍ୱର୍ିକ ଉନ୍ନତି ସମସ୍ତ ଦିଗ ପ୍ରତି ଆଖି ବୁଜି ଦେଇଛନ୍ତି । ଯାହାକି କଂପାନୀ କର୍ତ୍ତୃପକ୍ଷଙ୍କୁ ସୁହାଇଛି । ଅନ୍ୟପକ୍ଷରେ ଏପରି ରାଜନୈତିକ ହସ୍ତକ୍ଷେପ ଓ କଂପାନୀର ଆଭିମୁଖ୍ୟ ସ୍ଥାନୀୟ ଅଂଚଳରେ ଅସନ୍ତୋଷକୁ ଉଗ୍ର କରିବାରେ ଲାଗିଛି । ସୂଚନାଯୋଗ୍ୟ ଭଦ୍ରକ ଜିଲାରେ ୮୦ ଦଶକରେ ପ୍ରଥମ ଥର ଶିଳ୍ପ ବିପ୍ଳବର ସମ୍ଭାବନା ସୃଷ୍ଟି କରିଥିବା ରାନ୍ଦିଆର ଏହି ଦୁଇ ପ୍ଲାଣ୍ଟ ଏବେ ଭଦ୍ରକବାସୀଙ୍କ ପାଇଁ ଅଭିଶାପ ପାଲଟିଛି । କାରଣ ଏହି ଦୁଇ ପ୍ଲାଣ୍ଟରୁ ନିର୍ଗତ ଧୁଆଁ ଧୂଳିରେ ସମଗ୍ର ଭଦ୍ରକ ସହରାଞ୍ଚଳର ୧୦ କିମି ବ୍ୟାସାର୍ଦ୍ଧ ଅଂଚଳ ଏବେ ଭୀଷଣ ପ୍ରଦୂଷିତ । ପରିବେଶ ଉପରେ ଏହାର କୁପ୍ରଭାବ ପଡିବା ସହିତ ପ୍ଲାଣ୍ଟ ନିକଟସ୍ଥ ଅଂଚଳବାସୀ ଚର୍ମ, ଶ୍ୱାସରୋଗରେ ଶୀକାର ହୋଇ ଚାଲିଛନ୍ତି । କେବଳ ଏତିକି ନୁହେଁ, ପ୍ଲାଣ୍ଟ ନିକଟରେ ଥିବା ପ୍ରାୟ ୧୦ ଟି ମୌଜାର ଲୋକଙ୍କ ଚାଷ ଉପରେ ମଧ୍ୟ କୁପ୍ରଭାବ ପଡୁଛି । କଂପାନୀର ମାଲିକାନା ବଦଳିବା ପରେ ଉକ୍ତ ଦୁଇ ପ୍ଲାଣ୍ଟରୁ ଆଧୁନିକୀକରଣ କରାଯାଇଛି । ଫଳରେ ଉପରୋକ୍ତ ସମସ୍ୟା ଦ୍ୱିଗୁଣିତ ହୋଇଛି । ଏସବୁ ଦୃଷ୍ଟିରୁ ଭଦ୍ରକବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରିଚାଲିଥିବା ଏହି କଂପାନୀ ତେବେ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି ।

Share This Article