ଭୁବନେଶ୍ୱର: ପଂଚାୟତ ନିର୍ବାଚନର ଫଳାଫଳକୁ ନେଇ ଯାହା ଆଶା କରାଯାଉଥିଲା, ପ୍ରଥମ ଦିନର ଭୋଟ ଗଣତି ଫଳାଫଳ ତାହା ପ୍ରମାଣିତ କରିଛି । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ପଂଚାୟତ ନିର୍ବାଚନୀ ରଣନୀତି ହିଁ ଲଢ଼ିବା ପାଇଁ ନୁହେଁ ବରଂ କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭଳି ଅନୁଭୂତ ହେଉଥିଲା। ଆଉ ଯେଉଁ କାରଣରୁ ଆଜି ପ୍ରଥମ ଦିନର ଭୋଟଗଣତି ଫଳାଫଳର ଟ୍ରେଣ୍ଡରୁ ହିଁ ବିଜେପି ଓ କଂଗ୍ରେସ ରାଜ୍ୟର ଗ୍ରାମାଂଚଳରେ ନିଜର ସତ୍ତା ହରାଇଥିବା ଏବଂ ବିଜେଡି ରାଜ୍ୟର ସମସ୍ତ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଆସନ ସହ ୮୦ ପ୍ରତିଶତରୁ ଅଧିକ ହାତେଇବାକୁ ଯାଉଥିବା ଏକରକମ ସ୍ପଷ୍ଟ ହୋଇଯାଇଛି। କେନ୍ଦ୍ରରେ ୟୁପିଏ ସରକାର ସମୟରେ କଂଗ୍ରେସ ରାଜ୍ୟରେ ବିଜେଡି ପ୍ରତି ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା ଠିକ୍ ସେଭଳି ରଣନୀତି ଏବେ ବିଜେଡି ପାଇଁ ବିଜେପି ଆପଣାଉଥିବା ଜଳଜଳ ହୋଇ ଦିଶୁଛି, ଯେଉଁଥିପାଇଁ ବିଜେପି ରାଜ୍ୟରେ କଂଗ୍ରେସ ଭଳି ଦଶା ଭୋଗିବାକୁ ଯାଉଥିବା ଜଣାପଡ଼ିଛି । ତେବେ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଜୋରଦାର ଢଙ୍ଗରେ ଲଢ଼ିଥିବା ବିଜେପି ଚଳିତ ପଂଚାୟତ ନିର୍ବାଚନକୁ କାହିଁକି ସେଭଳି ନଲଢ଼ି ନିଜ ଗୋଡ଼ରେ କୁରାଢ଼ୀ ମାରିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ।
ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ହୋଇଥିବା ଗଣତିର ପ୍ରାରମ୍ଭିକ ଫଳାଫଳ ଅନୁସାରେ ବିଜେଡି ୨୭୮ଟି, ବିଜେପି ୧୮ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୨ଟି ଓ ଅନ୍ୟାନ୍ୟ ୨ଟି ଆସନରେ ଆଗରେ ରହିଛନ୍ତି । ୨୩ଟି ଜିଲ୍ଲାରେ କଂଗ୍ରେସ ଓ ୧୮ଟି ଜିଲ୍ଲାରେ ବିଜେପି ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିବାବେଳେ ସମସ୍ତ ଜିଲ୍ଲାରେ ବିଜେଡିର ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ବିଜେଡିକୁ ଟକ୍କର ଦେବା ତ ଦୂରର କଥା ଉଭୟ ବିଜେପି ଓ କଂଗ୍ରେସ ତା’ର ପାଖ ମାଡ଼ିବାକୁ ବି ସକ୍ଷମ ହୋଇପାରିନଥିବା ଜିଲ୍ଲ୍ଲା ପରିଷଦ ସଭ୍ୟ ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଆଉ ୨ଦିନର ଗଣତିରେ ଯେ ସେଭଳି କିଛି ଗୋଟେ ‘ଚମତ୍କାର’ ହେବ ଓ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବାଜିମାତ୍ କରିବେ ତାହା ବି ଜଣାପଡ଼ୁନି । ବରଂ ନିଜର ଗଡ଼କୁ ବି ଏହି ଦୁଇ ଦଳ ବିଜେପି ଓ କଂଗ୍ରେସ ବଂଚାଇବାକୁ ଅସମର୍ଥ ହୋଇଛନ୍ତି ।
୨୦୧୭ ପଂଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେପି ୪୭୬ଟି, କଂଗ୍ରେସ ୬୦ଟି ଓ ବିଜେଡି ୪୮୦ଟି ସିଟ୍ ହାତେଇଥିଲା । ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେପି ୮ଟି ଜିଲ୍ଲାରେ ଓ କଂଗ୍ରେସ ୨ଟି ଜିଲ୍ଲାରେ ଅଧ୍ୟକ୍ଷ ଓ ପରିଷଦ ଗଢ଼ିଥିବାବେଳେ ଶାସକ ବିଜେଡି ମାତ୍ର ୨୦ଟି ଜିଲ୍ଲା ମଧ୍ୟରେ ନିଜକୁ ସୀମିତ ରଖିପାରିଥିଲା । ଗ୍ରାମାଂଚଳରେ ବିଜେପି ଓ କଂଗ୍ରେସର ଏଭଳି ଶୋଚନୀୟ ପରାଜୟକୁ ନେଇ ଦୁଇ ଦଳ ଯଦିଓ ବିଜେଡି ସରକାରର ଶାସନ କଳକୁ ଦାୟୀ କରୁଛନ୍ତି ତଥାପି ନିର୍ବାଚନୀ ଫଳାଫଳ ବିଜେଡି ପାଇଁ ସବୁ ଦୃଷ୍ଟିରୁ ଉତ୍ସାହଜନକ ରହିଛି ।
ଓଡ଼ିଶାରେ କଂଗ୍ରେସ ରାସ୍ତାରେ ବିଜେପି, ଗାଁ ’ରେ ହଜିଗଲା ଅସ୍ତିତ୍ୱ

Comment