ପଞ୍ଚାୟତ ନିର୍ବାଚନ ମାହୌଲ, ଚାଷୀଙ୍କ ଦୁର୍ଦ୍ଦଶା ଶୁଣୁଛି କିଏ!

Odisha Hot News
3 Min Read

ଭଦ୍ରକ: ଏବେ ସବୁଠି ପଞ୍ଚାୟତ ନିର୍ବାଚନର ମାହୌଲ । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବା ପାଇଁ ସମସ୍ତେ ନିର୍ବାଚନରେ ବ୍ୟସ୍ତ । ଏହି ସମୟ ମଧ୍ୟରେ ଚାଷୀଙ୍କ ଦୁର୍ଦ୍ଦଶାକୁ ଭୁଲି ଯାଇଛନ୍ତି ଯୋଗାଣ ବିଭାଗ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା । ବର୍ଷକ ପୂର୍ବେ କଳା କୃଷି ଆଇନ୍‌କୁ ବିରୋଧ କରି ବୁକୁଫଟା ଚିତ୍କାର କରୁଥିବା ଚାଷଜମି ନଥିବା ତଥାକଥିତ ଚାଷୀ ନେତାମାନେ ମଧ୍ୟ ଚୁପ୍ ବସିଛନ୍ତି । ସେପଟେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷକ ଯାକର ପରିଶ୍ରମର ଫଳ ନପାଇ ଚାଷୀ କାନ୍ଦୁଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ରାହାଞ୍ଜ ସେବା ସମବାୟ ସମିତିରେ । କେବଳ ରାହାଞ୍ଜ ନୁହେଁ, ପ୍ରାୟ ସମସ୍ତ ସମିତିରେ ଅନୁରୂପା ଅବସ୍ଥା । ଏପରିକି ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ନିକଟରେ ମଧ୍ୟ ଅନୁରୂପ ସମସ୍ୟା ଦେଖିବାକୁ ମିଳିଛି । ଇତିମଧ୍ୟରେ ଜିଲାକୁ ଦିଆଯାଇଥିବା ଧାନକିଣା ଟାର୍ଗେଟ୍ ଶେଷ ହେବାକୁ ବସିଛି । ମାତ୍ର ୫୦ ପ୍ରତିଶତରୁ କମ୍ ଚାଷୀ ସରକାରଙ୍କୁ ଧାନ ବିକିଛନ୍ତି । ଆହୁରି ୫୦ ପ୍ରତିଶତ ଚାଷୀ ଧାନ ବିକିବାକୁ ଅନାଇ ବସିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଯୋଗାଣ ବିଭାଗ ଅତିରିକ୍ତ ୫ ଲକ୍ଷ କ୍ୱିଣ୍ଟାଲ ଧାନ ଟାର୍ଗେଟ୍ ଦେବାକୁ ସରକାରଙ୍କୁ ଚିଠି ଲେଖିଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଅନୁମତି ମିଳିନାହିଁ । ତେଣୁ ସମବାୟ ସମିତି ଠାରୁ ଆରମ୍ଭ କରି ଚାଷୀ ସମସ୍ତେ ଏବେ ହାତଯୋଡି ବସି ରହିଛନ୍ତି । ରାହାଞ୍ଜ ସୋସାଇଟିରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ଉଦ୍‌ବେଗଜନକ । ଚଳିତବର୍ଷ ୭୦୧ ଚାଷୀ ସରକାରଙ୍କୁ ଧାନ ବିକିବାକୁ ନିଜର ନାମ ଏହି ସୋସଇଟିରେ ପଞ୍ଜିକରଣ କରିଥିଲେ । ଜଗଦଲପୁର ଓ ରାହାଞ୍ଜ ପଞ୍ଚାୟତକୁ ନେଇ ଏହି ସୋସାଇଟି ଗଠିତ । ଚାଷୀଙ୍କ ନିକଟକୁ ଟୋକନ ଆସିଲା ଜାନୁଆରୀ ମାସ ୫ ତାରିଖରେ । ମଣ୍ଡି ଉଦ୍‌ଘାଟନ ହେଲା ୫ ଦିନ ପରେ, ଅର୍ଥାତ୍ ୧୦ ତାରିଖ । କିନ୍ତୁ ମିଲର ଆସିବା ବିଳମ୍ବ କଲେ । ପ୍ରଥମେ ୩୨ ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ଚାଷୀଙ୍କୁ ଟୋକନ ଇସ୍ୟୁ କରାଯାଇଥିଲା । କିନ୍ତୁ ମିଲରମାନଙ୍କୁ ଟାର୍ଗେଟ୍ ଦିଆଯାଇଥିଲା ୨୦ ହଜାର କ୍ୱିଣ୍ଟାଲ । ତେଣୁ ବାଧ୍ୟହୋଇ ସମସ୍ତ ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସୋସାଇଟି ସଂପାଦକ ଚାଷୀମାନଙ୍କ ଠାରୁ ଅଧା ଧାନ କିଣିବାକୁ ବାଧ୍ୟ ହୋଇଛନ୍ତି । ସବୁ ଚାଷୀଙ୍କୁ ସୁଯୋଗ ଦେବା ବେଳକୁ ଟାର୍ଗେଟ୍ ଶେଷ । ଠିକ୍ ଏତିକି ବେଳେ ଯୋଗାଣ ଅଧିକାରୀ ନୀରବଦ୍ରଷ୍ଟା ସାଜି ଏ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ସଂପୃକ୍ତ ଅଂଚଳର ଚାଷୀ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ । ଶ୍ରୀ ମଲ୍ଲିକ ମଧ୍ୟ ସେହି ସ୍ଥାନରୁ ଯୋଗାଣ ଅଧିକାରୀଙ୍କୁ ଫୋନ୍ କରି ସମସ୍ୟାର ସମାଧାନ ପାଇଁ କହିଥିଲେ । କିନ୍ତୁ ଫଳ ଶୂନ । ଗୋଟେ ପଟେ ସରକାରଙ୍କ ଅଜବ ନିୟମ ଓ ଅନ୍ୟପଟେ ମିଲରଙ୍କ ଜୁଲମରେ ଘାଣ୍ଟି ଚକଟି ହେଉଛନ୍ତି ଚାଷୀ । ସମିତିର ସଂପାଦକ ଅସହାୟ ହୋଇ ବସିଥିବା ବେଳେ ଧାନ ଧରି ସମିତି ବାହାରେ ଚାଷୀ ବସି ରହିଛନ୍ତି । ଟୋକନ ସମୟ ମଧ୍ୟ ଅତିବାହିତ ହୋଇଚାଲିଛି । ଯଥାଶୀଘ୍ର ରାହାଞ୍ଜ ସୋସାଇଟିକୁ ଅତିରିକ୍ତ ଟାର୍ଗେଟ୍ ନଦେଲେ, ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସଂଗ୍ରାମ କର, ରଘୁନାଥ ମହାନ୍ତି, ବ୍ରଜ କିଶୋର ପଣ୍ଡା, ରମାକାନ୍ତ ବେହେରା ପ୍ରମୁଖ ଚାଷୀ । ଏହି ଗୋଟିଏ ସୋସାଇଟି ନୁହେଁ, ପ୍ରାୟ ସମସ୍ତ ସୋସାଇଟିରେ ଏହିପରି ଅବସ୍ଥା ଦେଖିବାକୁ ମିଳିଛି । ତେଣୁ ଚାଷୀଙ୍କ ସମସ୍ୟାକୁ ନେଇ କୁମ୍ଭୀର କାନ୍ଦଣା ନକାନ୍ଦି ସେମାନଙ୍କ ସ୍ୱାର୍ଥରକ୍ଷା ଲାଗି ଉଦ୍ୟମ କରିବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।

Share This Article