ଭଦ୍ରକ: ପାଖେଇ ଆସୁଛି ନିର୍ବାଚନ ତାରିଖ । ଏହି ତାରିଖ ଯେତିକି ପାଖେଇ ଆସୁଛି ଗାଁ ଗହଳିରେ ରାଜନୈତିକ ତାତି ସେତିକି ବଢୁଛି । ଛକଠାରୁ ଦୋକାନ ବଜାର ଆଉ ଘର ପିଣ୍ଢା ଠାରୁ ଗାଁ ପୋଖରୀ ଆଡି ସବୁଠି ଚାଲିଛି ରାଜନୀତିର ଚର୍ଚ୍ଚା । ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରୁଛନ୍ତି । ସବୁ ଭୋଟରଙ୍କ ନିକଟତମ ହେବାକୁ ପ୍ରାର୍ଥୀ ଜୋରଦାର ଉଦ୍ୟମ ଚଳାଇଛନ୍ତି । କଳ କୌଶଳ ଲଗାଇ ଭୋଟରଙ୍କୁ ଭୋଟ୍ ପାଇଁ ନିବେଦନ କରୁଛନ୍ତି । ତେବେ ଏଥର ପଞ୍ଚାୟତ ନିର୍ବାଚନ ସବୁ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ସବୁ ଦଳର ଫଳାଫଳ ଆଗାମୀସାଧାରଣ ନିର୍ବାଚନ ପାଇଁ ଶକ୍ତି ଗୋଟାଇବ । ଗତଥର ପରି ବିଜେଡି ପୁଣି ପଂଚାୟତ ସିମିତି ହାତେଇ ଗଡରକ୍ଷା କରିବାକୁ ଚାହୁଁଥିବାବେଳେ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଗତ ପଂଚାୟତ ନିର୍ବାଚନ ଫଳାଫଳ ଠାରୁ ଏଥର ଯଥେଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ସମିତି ଦଖଲ ଲକ୍ଷ୍ୟରେ କଂଗ୍ରେସ ରହିଛି । ପଂଚାୟତ ନିର୍ବାଚନ ଲଢେଇରେ ବିଜେପି ପଛରେ ପଡିନି । ସବୁ ପଂଚାୟତରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢୁଛି । ଲଢେଇରେ ଏକାଧିକ ପଂଚାୟତରେ ବିଜୟୀ ହୋଇ ଖାତାର ଫର୍ଦ୍ଦ ଓଲଟାଇବାକୁ ଜୋରଦାର ପ୍ରୟାସ କରୁଛି । ବ୍ଲକ୍ର ୩୬ ପଂଚାୟତରେ ଏଥର ନିର୍ବାଚନ ହେଉଛି ।
ସବୁ ଦଳର ହାଇକମାଣ୍ଡ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଗୋଟି ଚାଳନାରେ ରହିଛନ୍ତି । ବିଶେଷକରି ପଂଚାୟତ ସମିତି ଦଖଲ କରିବାକୁ ବିଜେଡି ଆଉ କଂଗ୍ରେସ ଗୋଡ କାଢି ବସିଥିବାବେଳେ ବିଜେପି ରୋକ୍ ଲଗାଇବାକୁ ରଣକୌଶଳ କରୁଥିବା କୁହାଯାଉଛି । ଗତ ପଂଚାୟତ ନିର୍ବାଚନରେ ବିଜେଡିର ବିଷ୍ଣୁବ୍ରତ ରାଉତରାୟ ପରିଚାଳନା ମଙ୍ଗ ଧରିଥିଲେ । ତାଙ୍କ ତତ୍ତ୍ୱାବଧାନରେ ୨୩ ଜଣ ସରପଞ୍ଚ ଓ ୨୦ ରୁ ଉର୍ଦ୍ଧ୍ୱ ସମିତି ସଭ୍ୟ ବିଜୟୀ ହୋଇଥିଲେ । ବିପୁଳ ସମର୍ଥନ ପାଇ ପୂର୍ଣ୍ଣିମା ମଲ୍ଲିକ ଅଧ୍ୟକ୍ଷ ଆସନରେ ବସିଥିଲେ । କଂଗ୍ରେସର ସେ ସମୟରେ ବହୁ ଅଭିଜ୍ଞ ତଥା ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ ନିର୍ବାଚନ ପରିଚାଳନା କରିଥିଲେ । ଶ୍ରୀ ମଲ୍ଲିକଙ୍କୁ ସାଥ ଦେଇପାରେ ଯୁବନେତା ଅଶୋକ କୁମାର ଦାସ । ଦୁଇ ନେତାଙ୍କ ପରିଚାଳନାରେ ୧୨ଯି ସରପଞ୍ଚ ଓ ୧୧ଟି ସମିତିସଭ୍ୟ ଆସନ ମିଳିଥିଲା କଂଗ୍ରେସକୁ । ବିଜେପିର ବରିଷ୍ଠ ନେତା ଦୀନବନ୍ଧୁ ପତିଙ୍କ ପରିଚାଳନାରେ ଗୋଟିଏ ପଂଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀ ସରପଞ୍ଚ ଭାବେ ବିଜୟୀ ହୋଇ ଖାତା ଖୋଲିଥିଲେ । ବିଧାୟକ ହେବା ପରେ ଶ୍ରୀ ରାଉତରାୟ ପୁଣି ପଂଚାୟତ ନିର୍ବାଚନକୁ ନିଜେ ପରିଚାଳନା କରୁଛନ୍ତି । ଗତ ନିର୍ବାଚନକୁ ମିଶାଇଲେ ଏଥର ପଂଚାୟତ ନିର୍ବାଚନ ପରିଚାଳନା ତାଙ୍କର ଦ୍ୱିତୀୟ ପାଳି କୁହାଯାଉଛି । ହେଲେ ଦ୍ୱିତୀୟ ପାଳିର ପ୍ରାର୍ଥୀ ମନୋନୟନରେ ଅଡୁଆକୁ ନେଇ କେତେକ ପଂଚାୟତରେ ଗୋଟିଏ ଗୋଟିଏ ପଦରେ ଦୁଇଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ନଜରକୁ ଆସୁଛି ।
ଦଳ ଭିତରେ ସନ୍ତୁଷ୍ଟ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପାଇଁ ସେହି ପଂଚାୟତରେ କଂଗ୍ରେସ ଆଉ ବିଜେପି ପ୍ରାର୍ଥୀ ଫାଇଦା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଚର୍ଚ୍ଚାକୁ ବ୍ଲକ୍ ସଭାପତି ଦୀନବନ୍ଧୁ ଦାସ ହାଲକା ଭାବେ ନେଇଛନ୍ତି । ବିଜେଡିର ସମର୍ଥନରେ ନିର୍ବାଚନ ଲଢୁଥିବା ସବୁ ପ୍ରାର୍ଥୀ ବହୁ ସଂଖ୍ୟାରେ ଭୋଟ ପାଇବେ । ଆଉ ବିଜେଡି ପୁଣି ପଂଚାୟତ ସମିତି ଦଖଲ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି ଶ୍ରୀ ଦାସ । ଅନ୍ୟପଟେ ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ମଙ୍ଗଳ ଧରିଥିବା ମାଧବାନନ୍ଦ ମଲ୍ଲିକ ଦଳ ଛାଡିବା ପରେ ତାଙ୍କୁ ସାଥ ଦେଉଥିବା କଂଗ୍ରେସର ନେତା ଅଶୋକ କୁମାର ଦାସ ସିଧାସଳଖ ଏଥର ପଂଚାୟତ ନିର୍ବାଚନ ପରିଚାଳନା କରୁଛନ୍ତି । ପୂର୍ବ ନିର୍ବାଚନର ବିଜୟ ସଂଖ୍ୟାକୁ ବଢି ପଂଚାୟତ ସମିତି ଦଖଲ କରିବା ଲକ୍ଷ୍ୟରେ ରହିଛନ୍ତି ଶ୍ରୀ ଦାସ । ହେଲେ ବିଜେଡି ଆଉ କଂଗ୍ରେସ ନେତାଙ୍କ ପଂଚାୟତ ସମିତି ଦଖଲ ଦୃଢୋକ୍ତିକୁ ଭାଙ୍ଗିବାକୁ ବିଜେପିର ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ ପୁରା ଦମ୍ରେ ଲାଗିଛନ୍ତି । ଶ୍ରୀ ମଲ୍ଲିକ ଏଥର ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଛନ୍ତି । ତାଙ୍କର ପୁତ୍ର ତଥା ଜିଲା ଉପସଭାପତି ଉଦୟ ନାରାୟଣ ମଲ୍ଲିକ ମଧ୍ୟ ପରିଚାଳନାର ମୁଖ୍ୟ ଭାର ବହନ କରିଛନ୍ତି । ଏଥର ଏକାଧିକ ପଂଚାୟତରେ ବିଜେପି ପ୍ରାର୍ଥୀଙ୍କ ବିଜୟୀ ହେବେ । ଆଉ କଂଗ୍ରେସ ଆଉ ବିଜେଡିର ପଂଚାୟତ ସମିତି ଦଖଲରେ ରୋକ୍ ଲଗାଇବ ବୋଲି ଯୁବନେତା ଶ୍ରୀ ମଲ୍ଲିକ କହିଛନ୍ତି ।
ବିଜେଡିର ଗଡ ରକ୍ଷା, କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ

Comment