ଜଙ୍ଗଲ ଛାଡ଼ୁନାହାନ୍ତି ମାଓବାଦୀ, କନ୍ଧମାଳରେ ପୁଲିସ ସହ ମୁହଁାମୁହିଁ

Odisha Hot News
2 Min Read

ଫୁଲବାଣୀ: ମାଓ ଦମନ ପାଇଁ ବହୁ ଉଦ୍ୟମ ସତ୍ତ୍ବେ କନ୍ଧମାଳ ଜିଲ୍ଲାରେ ମାଓ ସଂଗଠନ ସକ୍ରିୟ ହୋଇଉଠିବା ପୁଲିସ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ଗତ କିଛିମାସ ମଧ୍ୟରେ ବହୁବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲାଣି। ଗତକାଲି ଠାରୁ ତୁମୁଡ଼ିବନ୍ଧ ଥାନା ସିର୍ଲା ଏବଂ ଗୋଛାପଡ଼ା ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରଠାରୁ ଅପରେସନ୍‌ ଜାରି ରହିଥିଲେ ହେଁ ମାଓବାଦୀ ଜଙ୍ଗଲ ଛାଡ଼ି ନଥିବା ଓ ରହି ରହି ଉଭୟ ପଟରୁ ଗୁଳି ଶବ୍ଦ ଶୁଣା ଯାଉଥିବା ଜଣାପଡ଼ିଛି। ପାଖାପାଖି ୧୦ଟି ସ୍ଥାନରେ ପୁଲିସ ବାହିନୀ କମ୍ବିଂ ଅପରେସନ୍‌ ଚଳାଇଛି। ମାଓବାଦୀ ଓ ପୁଲିସ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ମୃତାହତଙ୍କ ସମ୍ପର୍କରେ ସଠିକ୍‌ ସୂଚନା ମିଳି ନଥିଲେ ମଧ୍ୟ ଅପରେସନ୍‌ ଟିମ୍‌ର ଫେରିବାକୁ କନ୍ଧମାଳ ପୁଲିସ ପ୍ରଶାସନ ଅପେକ୍ଷା କରିଛି। ଆସନ୍ତାକାଲି କନ୍ଧମାଳ ଏସ୍‌.ପି ପ୍ରେସ୍‌ମିଟ୍‌ ଜରିଆରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣା ସମ୍ପର୍କରେ ସୂଚନା ଦେଇପାରନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଗୋଛାପଡ଼ା ଅଞ୍ଚଳ ଏବଂ ତୁମୁଡ଼ିବନ୍ଧ ବ୍ଲକ୍‌ର ବେଲଘର, ଝିରିପାଣି, ଲଙ୍କାଗଡ଼ ଆଦି ଅଞ୍ଚଳରେ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳୀ) ଡିଭିଜନ୍‌ର ମାଓ କ୍ୟାଡ଼ରମାନେ ଏବେ ବେଶ୍‌ ସକ୍ରିୟ ଅଛନ୍ତି। ମାଓବାଦୀଙ୍କ ମୁକାବିଲା କରିବାକୁ ପୁଲିସ ଏବେ ଯଥେଷ୍ଟ ସତର୍କତାର ସହ ପଦ‌କ୍ଷେପ ନେଉଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ସିଆର୍‌ପିଏଫ୍‌ ଯବାନ ଏବଂ ପୁଲିସର ମିଳିତ ବାହିନୀ ଗୋଛାପଡ଼ା ଓ ତୁମୁଡ଼ିବନ୍ଧର ସିର୍ଲା ଜଙ୍ଗଲରେ ଏହି କମ୍ବିଂ ଅପରେସନ ଚଳାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୋଏରମାରୁ ପଞ୍ଚାୟତ ପାଦରପଡ଼ା ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ‌ରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ତେବେ ମୋଷ୍ଟ ୱାଣ୍ଟେଡ଼୍‌ ମାଓନେତା ଦସୁର ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲା। ସେହିଭଳି ଚଳିତ ବର୍ଷ ଜାନୁଆରି ମାସରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଅନ୍ତର୍ଗତ ଚାହାଳି ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଚକାପାଦ ଅଞ୍ଚଳର ଜଙ୍ଗଲରେ ୧୫ରୁ ୨୦ ମାଓବାଦୀ କ୍ୟାମ୍ପ୍‌ କରିଥିବା ଖବର ପାଇ ଏସ୍‌ଓଜି ଏବଂ ଡିଭିଏଫ୍‌ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ। ଯବାନଙ୍କ ମୁକାବିଲା କରି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଗତମାସ ୨୮ ତାରିଖରେ ଗୋଛାପଡ଼ା ଥାନା ଅନ୍ତର୍ଗତ ରାଇଘର ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟିଥିଲା। ଏଥିରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ସେଠାରୁ ପୁଲିସ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲା।

Share This Article