ପେଟ୍ରୋଲ ଓ ଡିଜେଲ ବୃଦ୍ଧିର ପ୍ରତିବାଦ : ୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ

Odisha Hot News
2 Min Read

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ୍‌ ଓ ଗ୍ୟାସ୍‌ର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ବନ୍ଦ ପାଳନ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ‌ସେ କହିଛନ୍ତି, ଏହି ୩ ଘଣ୍ଟିଆ ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟସେବା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଟକାଯିବନାହିଁ। ବୃହତର ସ୍ବାର୍ଥ ଦୃଷ୍ଟିରୁ ଏହି ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣ ସହଯୋଗ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ପିସିସି ସଭାପତି କହିଛନ୍ତି ଯେ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ଜଳ, ଜମି ଓ ଜଙ୍ଗଲ ରକ୍ଷା କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଉପା ସରକାର ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବାବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍‌ ଦରରେ କିପରି ପେଟ୍ରୋଲ ଓ ଡିଜେଲ ପାଉଥିଲେ ସେ ନେଇ ଶ୍ରୀ ପଟ୍ଟନାୟକ ତଥ୍ୟ ରଖିଥିଲେ। ଏବେ ପେଟ୍ରୋଲ ଓ ଡିଜେଲ ଲିଟର ୯୦ ଟଙ୍କା ଛୁଇଁଲାଣି। ଯାହାଯୋଗୁ ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟୁଛି। ଏହାଦ୍ବାରା ରାଜ୍ୟର ଗରିବ, ମଧ୍ୟବିତ୍ତ, ଶ୍ରମିକ ଶ୍ରେଣୀ ଓ ଚାଷୀଭାଇମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଭାଟ ଟିକସରୁ ୧୦ ଟଙ୍କା କମାଇବାକୁ ଅନୁରୋଧ କରି ନିଜେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଠାରୁ କିଛି ବି ଉତ୍ତର ମିଳିଲାନି। ଏ ନେଇ ମଧ୍ୟ ସରକାର କିଛି ବି ପଦକ୍ଷେପ ନେଲେନାହିଁ। ଯଦି ୧୦ ଟଙ୍କା ଭାଟ୍‌ ଟିକସ କମାଇ ଦିଆଯାଏ, ତାହେଲେ ସରକାରଙ୍କ ରାଜସ୍ବ ଉପରେ କିଛି ପ୍ରଭାବ ପଡ଼ିବନାହିଁ। ବରଂ ରାଜ୍ୟ ବାହାରର ବହୁ ଗାଡ଼ି କମ୍‌ ମୂଲ୍ୟରେ ଅଧିକ ପରିମାଣର ତୈଳ ରାଜ୍ୟରୁ କ୍ରୟ କରିବେ ଓ ତାଦ୍ବାର ସରକାରଙ୍କ ରାଜସ୍ବ ବୃଦ୍ଧି ହେବ। ସେ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ତୈଳ ଓ ଗ୍ୟାସ୍‌ ମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି। ଏବେ ଲୋକମାନଙ୍କୁ ଲିଟର ପିଛା ୫୦ ଟଙ୍କାରୁ ଉର୍ଦ୍ଧ୍ବ ଟିକସ ଦେବାକୁ ପଡ଼ୁଛି। କୋଟିଆ ପାଇଁ ସରକାରଙ୍କ ଅବହେଳା ସମ୍ପର୍କରେ ସମାଲୋଚନ କରି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି କି, ପ୍ରଥମଥର ପାଇଁ ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରି କୋରାପୁଟ କୋଟିଆ ଅଞ୍ଚଳର ୩ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Share This Article