ଖଣ୍ଡଗିରି ଯାତ୍ରା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆଜି : ଭୁବନେଶ୍ବର ମହାନଗର ନିଗମ କମିସନର

Odisha Hot News
1 Min Read

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରାର ଆୟୋଜନକୁ ନେଇ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି। ତା’ଛଡ଼ା ଖଣ୍ଡଗିରି ଯାତ୍ରାକୁ ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ତେଣୁ ସେହି ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ଏଥିଲାଗି ବିକଳ୍ପ ସ୍ଥାନ ଖୋଜା ଚାଲିଛି ବୋଲି ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଏଣେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ବାବଦରେ ଆଲୋଚନା କରି ଉଭୟଙ୍କ ପରାମର୍ଶ ନିଆଯାଇଛି। କରୋନାର ସଫଳ ମୁକାବିଲାରେ ରାଜଧାନୀବାସୀଙ୍କ ସହଯୋଗ ମିଳିଛି। କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଂ ହୋଇପାରେ। ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ। ଏ ନେଇ ଆଜି ପୁଣି ଆୟୋଜକଙ୍କ ସହ ଆଲୋଚନା ହେବ ଓ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share This Article