ନୂଆଦିଲ୍ଲୀରେ ଓଡ଼ିଶା ଦିବସ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Odisha Hot News
2 Min Read

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ଡବଲ ଇଞ୍ଜିନ ସରକାର ଆସିବା ପରେ ରାଜ୍ୟର ପ୍ରଗତି ଆହୁରି ଗତିଶୀଳ ହେଉଛି। ରାଜ୍ୟକୁ ମିଳୁଥିବା ରେଳ ଅନୁଦାନ ଚାରି ଗୁଣ ବୃଦ୍ଧି ପାଇଛି। ବିଗତ ତିନି ବର୍ଷ ଧରି ମୋଦୀ ସରକାର ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଲେଖାଏଁ ରେଳ ଅନୁଦାନ ଯୋଗାଇ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରାଥମିକତା ଦେଉଛନ୍ତି। ପୂର୍ବରୁ ରାଜ୍ୟର ବିକାଶ ଅତି ମନ୍ଥର ଗତିରେ ହେଉଥିଲା। ଏବେ କିନ୍ତୁ ବନ୍ଦେ ଭାରତ ବେଗରେ ଓଡ଼ିଶାର ବିକାଶ ହେଉଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଦୁଇ ହଜାର କିଲୋମିଟର ନୂଆ ରେଳ ଟ୍ରାକ୍‌ ନିର୍ମାଣ କରାଯାଇଛି। ମାଲେସିଆ ଭଳି ଦେଶର ମୋଟ୍‌ ରେଳ ନେଟୱର୍କର ଆକାର ଯେତିକି ତା’ଠାରୁ ଅଧିକ ରେଳ ଟ୍ରାକ୍‌ ଓଡ଼ିଶାରେ ନିର୍ମାଣ କରାଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶାକୁ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ଏହାକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଆହୁରି ଅଧିକ ବନ୍ଦେ ଭାରତ ଟ୍ରେନ ଚଳାଚଳ କରାଯିବ। ତୃତୀୟ କାର୍ଯ୍ୟକାଳରେ ରାଜ୍ୟର ତିନି ଗୁଣ ଅଧିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟକୁ ଆଇଟି ଉଦ୍ୟୋଗର କେନ୍ଦ୍ରସ୍ଥଳୀରେ ପରିଣତ କରିବା ଲାଗି ଯୋଜନା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣାଧୀନ ଅଟ୍ଟାଳିକାର ପ୍ରଥମ ଚାରିଟି ମହଲାକୁ ରେଳବାଇ କାର୍ଯ୍ୟରେ ଉପଯୋଗ କରାଯିବ। ପଞ୍ଚମରୁ ଏକାଦଶ ମହଲାକୁ ଆଇଟି ଉଦ୍ୟୋଗକୁ ସମର୍ପିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share This Article