ରାଜ୍ୟ ସରକାରୀ କର୍ମଚାରୀଙ୍କ ଖୁସି ଖବର, ବଢିଲା ଏଚ୍ଆରଏମ୍ଏସ୍ ରେ ପ୍ରୋଫାଇଲ ଡାଟା ଆବେଦନ ତାରିଖ

Odisha Hot News
2 Min Read

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପର୍କରେ ସବିଶେଷ ସଂକ୍ଷିପ୍ତ ତଥ୍ୟ(ପ୍ରୋଫାଇଲ୍ ଡାଟା) ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଆବେଦନ ଅଦ୍ୟତନ(ଅପଡେସନ) କରିବା କାର୍ଯ୍ୟ ଆଗାମୀ ୨୦୨୪ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପୂର୍ବରୁ ଏହି କାର୍ଯ୍ୟ ଗତ ଫେବୃୟାରୀ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ସଂପର୍କରେ କର୍ମଚାରୀମାନେ ସେମାନଙ୍କର ତଥ୍ୟ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଆବେଦନ କରି  ନିଜ ନିଜର ସଂସ୍ଥାର ପ୍ରତିଷ୍ଠାନ (ଏଷ୍ଟାବ୍ଲିସ୍‌ମେଣ୍ଟ) ଅଧିକାରୀ/ ଅର୍ଥ ଉଠାଣ ଓ ବିତରଣ  ଅଧିକାରୀ (ଡିଡିଓ) କିମ୍ବା ପ୍ରାଧୀକୃତ ଅଧିକାରୀଙ୍କ ଜରିଆରେ ଏହାକୁ  ବୈଧ କରିବାକୁ  ବିଭାଗ ତରଫରୁ ଜଣାଇ ଦିଆଯାଇଥିଲା।

ଏହି ବ୍ୟବସ୍ଥାରେ  ଆଜି ସୁଦ୍ଧା ପ୍ରାୟ ୩.୩ ଲକ୍ଷ  କର୍ମଚାରୀ  ସେମାନଙ୍କ ତଥ୍ୟ  ଅଦ୍ୟତନ କରିଛନ୍ତି, ଯାହା  ଉତ୍ସାହଜନକ  ବୋଲି  ବିଭାଗ ତରଫରୁ କୁହାଯାଇଛି । କିନ୍ତୁ ଦେଖାଯାଉଛି ଯେ ଅଦ୍ୟବଧି  ଅନେକ ସଂଖ୍ୟକ କର୍ମଚାରୀ​‌​‌ ସେମାନଙ୍କର ପ୍ରୋଫାଇଲ ତଥ୍ୟ ଅଦ୍ୟତନ କରିନାହାଁନ୍ତି। ଏଥିରେ କର୍ମଚାରୀମାନଙ୍କ ଦ୍ୱାରା ଅଦ୍ୟତନ କରାଯାଉଥିବା ତଥ୍ୟ ସେମାନଙ୍କର ଉପରୋକ୍ତ ଦର୍ଶିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୈଧ ହେବା  ଆବଶ୍ୟକ ଯାହାକି  ପ୍ରଦତ୍ତ ତଥ୍ୟ  ସଠିକତାକୁ ନିଶ୍ଚିତ କରିବ।

ଏହି ଅଦ୍ୟତନ କରିବା ପ୍ରକ୍ରିୟା ‘୫-ଟି’ ଉପକ୍ରମର ଏକ ଅଂଶ ବିଶେଷ, ଯଦ୍ଦ୍ୱାରା ପେନ୍‌ସନ କାଗଜାତ ଗୁଡ଼ିକ ସ୍ୱୟଂକ୍ରିୟ ହୋଇପାରିବ । ତେଣୁ ଏହି କାର୍ଯ୍ୟ ସମସ୍ତ କର୍ମଚାରୀମାନେ କରିବା ଆବଶ୍ୟକତା ରହିଛି । ବିଶେଷ କରି  ଆଗାମୀ ପରବର୍ତ୍ତୀ ଏକ  ବର୍ଷରେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ଏଥିରେ ସ୍ୱତନ୍ତ୍ର  ଧ୍ୟାନ ଦିଆଯାଇଛି। ଏସବୁକୁ ଦୃଷ୍ଟି ଦେଇ ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ,  କର୍ମଚାରୀମାନଙ୍କର  ପ୍ରୋଫାଇଲ ଡାଟା ଅପ୍‌ଡେଟ୍‌ କରିବା ଅଭିଯାନକୁ  ଆଉ ଦୁଇମାସ ବୃଦ୍ଧି କରିଛନ୍ତି ।

କର୍ମଚାରୀମାନେ ଏହି ସୁବିଧା ଆଗାମୀ ଏପ୍ରିଲ ୧୫.୦୪.୨୦୨୪ ପର୍ଯ୍ୟନ୍ତ ପାଇବେ । ଏହି ସମୟ ସୀମା ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ତଥ୍ୟ ଏଚ୍‌ଆରଏମଏସ୍‌ରେ ଅଦ୍ୟତନ କରିବା ସହ ଏହାକୁ ମଧ୍ୟ ପ୍ରାଧିକୃତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମର୍ମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବ, ସବୁ ବିଭାଗୀୟ ମୁଖ୍ୟ ତଥା  ରାଜ୍ୟର ସମସ୍ତ କମିଶନଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି।

ଆଗାମୀ ଏପ୍ରିଲ ୧୫  ତାରିଖ ସୁଦ୍ଧା ରହିଯାଇଥିବା କର୍ମଚାରୀମାନଙ୍କୁ ନିଜ ନିଜର ତଥ୍ୟ ଅଦ୍ୟତନ କରାଇବା ସହିତ ଅନ୍ୟ ସମସ୍ତ କର୍ମଚାରୀମାନଙ୍କୁ ମଧ୍ୟ ସଚେତନ କରି ସେମାନଙ୍କ ତଥ୍ୟ ଅପ୍‌ଡେଟ୍‌ କରାଇବାକୁ ପୁନର୍ବାର ଅନୁରୋଧ କରାଯାଇଛି ।

Share This Article