ଭୁବନେଶ୍ୱର,୨୭।୧୧(ସ୍ବ.ପ୍ର./ବ୍ୟୁରୋ)- କଂଗ୍ରେସ ଗୋଷ୍ଠୀ କନ୍ଦଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ା ରବିବାର ରାତି ପ୍ରାୟ ୯ଟାରୁ ୧୦ଟା ହେବ। କେନ୍ଦୁଝର ଜିଲା ଆନନ୍ଦପୁର ପାର୍ଶ୍ୱରୁ ଏକ କାର ଯାଇ ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ହସନପୁର ଟୋଲ୍ ଗେଟ୍ ନିକଟରେ ଅଟକୁଛି। ବିପରୀତ ପାର୍ଶ୍ୱରୁ କେତେଜଣ ଯୁବକ ଆସି ସମ୍ପୃକ୍ତ କାରରୁ ଜଣେ ବ୍ୟକ୍ତିଙ୍କୁ ବାହାର କରି ମାଡ଼ ମାରିମାରି ଆଣୁଛନ୍ତି। ତା’ର କିଛି ସମୟ ପରେ ଘଟଣାସ୍ଥଳରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର ଯାଇ ସେଠାରେ ଅଟକୁଛି ା ନିରଞ୍ଜନ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଉପସ୍ଥିତ କେତେଜଣ ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳୁଛି। ଉକ୍ତ ଭିଡିଓ ଏବଂ ସ୍ଥାନୀୟ ଲୋକମାନଙ୍କ ମୁହଁରୁ ଏହା କଂଗ୍ରେସ ଗୋଷ୍ଠୀ କନ୍ଦଳର ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଉଛି ା ସାଧାରଣ ଲୋକଙ୍କ କହିବା ଅନୁଯାୟୀ, ଘସିପୁରା ନିର୍ବାଚନମଣ୍ଡଳୀ ଅଧୀନ ଅଳତୀ ଅଞ୍ଚଳର ଜଣେ କଂଗ୍ରେସ ନେତା ଓ ଗଡବାନ୍ଧଗୋଡା ଅଞ୍ଚଳର ଜଣେ ବ୍ଲକସ୍ତରୀୟ ନେତାଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଥିଲା। ବ୍ଲକସ୍ତରୀୟ ନେତାଙ୍କ ସମର୍ଥକଙ୍କୁ ସାଇଁକୁଳ ଅଞ୍ଚଳର କେତେଜଣ କଂଗ୍ରେସ ନେତା ସେହିଦିନ ଆକ୍ରମଣ କରିଥିଲେ ା ତେବେ ଉକ୍ତ ବିବାଦର ପ୍ରକୃତ ରହସ୍ୟ ଜଣାପଡି ନ ଥିଲେ ମଧ୍ୟ ନିରଞ୍ଜନଙ୍କ ଉପସ୍ଥିତି ସ୍ଥାନୀୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ହେଲେ ଏନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ ା ତେବେ ଖୋଲାଖୋଲି ଭାବେ କଂଗ୍ରେସ ନେତାମାନଙ୍କ ଏଭଳି ଗଣ୍ଡଗୋଳର ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି। ଦୀର୍ଘ ୨୦ବର୍ଷ ହେବ ରାଜ୍ୟବାସୀ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିଥିଲେ ସୁଦ୍ଧା ସେମାନଙ୍କ ଚରିତ୍ରରେ କୌଣସି ପରିବର୍ତ୍ତନ ଆସି ନ ଥିବା ସ୍ଥାନୀୟ ଲୋକ ମତ ରଖିଛନ୍ତି। ଏନେଇ ନିରଞ୍ଜନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ସେ ଏକ ବୈଠକରେ ବ୍ୟସ୍ତ ଅଛନ୍ତି କହି ଫୋନ୍ କାଟିଦେଇଥିଲେ।
ରାଜପଥରେ କଂଗ୍ରେସ କନ୍ଦଳ: ଘଟଣାସ୍ଥଳରେ ନିରଞ୍ଜନ
You Might Also Like
Leave a Comment
Leave a Comment
- Advertisement -
