ଜୁଲାଇ ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ

Odisha Hot News
1 Min Read

ଭୁବନେଶ୍ବର : କରୋନା ପାଇଁ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାକୁ ଦୃଷ୍ଟିରେ ରଖି ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ପ୍ରତ୍ୟେକ ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ଶୁଖିଲା ରାସନ୍ ବଣ୍ଟନ କରାଯାଇଛି। ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରକୁ ଘର ପହଞ୍ଚି ଜୁଲାଇ ମାସର ରାସନ୍ ବାଣ୍ଟିଛନ୍ତି। ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ୩ ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ୍ ବଣ୍ଟନ କରିଛନ୍ତି। ଏହି ବଣ୍ଟନ ପ୍ରକ୍ରିୟାକୁ ମାତୃ କମିଟି ଓ ଯାଞ୍ଚ୍ କମିଟିର ସଦସ୍ୟମାନେ ଯାଞ୍ଚ୍ କରୁଛନ୍ତି। ଏହା ଦ୍ବାରା ପ୍ରାୟ ୪୨ ଲକ୍ଷ ଗର୍ଭବତୀ, ପ୍ରସୂତି ଏବଂ ୬ ମାସରୁ ୬ ବର୍ଷ ବୟସର ଶିଶୁ ଉପକୃତ ହେଉଛନ୍ତି।

କୋଭିଡ୍‌-୧୯ ପରିସ୍ଥିତିରେ ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ସମନ୍ବିତ ପୁଷ୍ଟିସାଧନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ମଧ୍ୟ ଶୁଖିଲା ରାସନ୍ ଦେବା ନିମନ୍ତେ ବିଭାଗ ପକ୍ଷରୁ ଜିଲ୍ଲା ଅଧିକାରୀମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ପଞ୍ଚାୟତ ଅଧୀନରେ ସଙ୍ଗରୋଧରେ ରହିଥିବା ଗର୍ଭବତୀ ଓ ଶିଶୁଙ୍କୁ ମଧ୍ୟ ଶୁଖିଲା ରାସନ୍ ଯୋଗାଇ ଦେଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟକୁ ଫେରି ଅଙ୍ଗନବାଡ଼ିରେ ତାଲିକାଭୁକ୍ତ ହୋଇଥିବା ୫୫୩୮ ଗର୍ଭବତୀ ମହିଳା, ୨୩୮୦୮ ଶିଶୁଙ୍କୁ ଶୁଖିଲା ରାସନ୍ ଯୋଗାଇ ଦିଆଯାଇଛି। ଏହି ବଣ୍ଟନ ସମୟରେ କୋଭିଡ୍‌-୧୯ ନିୟମାବଳୀକୁ ଠିକ୍ ଭାବେ ପାଳନ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିସନ୍‌ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି।

Share This Article